
ଶିମିଳିପାଳରେ ଶୂନ ଡିଗ୍ରୀକୁ ଖସିଲା ପାରଦ । ଜି.ଉଦୟଗିରିରେ ୩ ଡିଗ୍ରୀ ଓ ସେମିଳିଗୁଡ଼ା ତାପମାତ୍ରା ୪.୧ ଡିଗ୍ରୀ ସେଲସିୟସ୍ । ରାଜ୍ୟର ୨୩ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୫ରୁ ୮ ଡିଗ୍ରୀ କମ୍ ଥିଲା । ଖାଲି ମଣିଷ ନୁହେଁ, ଜୀବଜନ୍ତୁ ବି ଛଟପଟ ହୋଇଥିଲେ ହାଡ଼ଭଙ୍ଗା ଶୀତରେ ।
ପାଣିପାଗ ବିଭାଗର ଆକଳନ ଦେଖାଇଛି, ଆଗକୁ ଏ ସ୍ଥିତି ଆହୁରି ସାଂଘାତିକ ହେବ । ଆସନ୍ତା ୧୨ ତାରିଖ ଯାଏ ଥଣ୍ଡା ମାଡ଼ରୁ ନିସ୍ତାର ନାହିଁ । ଅଧିକାଂଶ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବ । ୫ ଡିଗ୍ରୀ ସେଲସିୟସରୁ କମ୍ ତାପମାତ୍ରାରେ ଥରିବ କେତେକ ଅଞ୍ଚଳ । ପୂର୍ବାନୁମାନ ଅନୁସାରେ ଗୁରୁବାର ରାତିରେ ଝାରସୁଗୁଡ଼ା, ଫୁଲବାଣୀ ଓ ରାଉରକେଲାରେ ପାରଦ ୫ ଡିଗ୍ରୀ ତଳକୁ ଖସିପାରେ । ଅନୁଗୁଳ, କେନ୍ଦୁଝର, ଭବାନୀପାଟଣା ଓ ସୁନ୍ଦରଗଡ଼ ତାପମାତ୍ରା ୮ ଡିଗ୍ରୀ ରହିପାରେ । ନବରଙ୍ଗପୁର, କୋରାପୁଟ, ବଲାଙ୍ଗୀର, ବୌଦ୍ଧ, ବାରିପଦାରେ ପାରଦ ୯ ଡିଗ୍ରୀ ପାଖାପାଖି ରହିପାରେ । ଶୁକ୍ରବାର ରାତିରେ ଫୁଲବାଣୀ, ଝାରସୁଗୁଡ଼ା ଓ ରାଉରକେଲା ତାପମାତ୍ରା ୬ ଡିଗ୍ରୀରେ ଥରିପାରେ। ସେହିପରି ସୁନ୍ଦରଗଡ଼ ୮ ଡିଗ୍ରୀ, ଭବାନୀପାଟଣା ଓ କୋରାପୁଟରେ ପାରଦ ୯ ଡିଗ୍ରୀ ସେଲସିୟସ୍ ରହିପାରେ ।
ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉପକୂଳବର୍ତ୍ତୀ ଅଞ୍ଚଳରେ ମକର ସଂକ୍ରାନ୍ତି ପରେ ଶୀତ ପ୍ରକୋପ କମିବ । ୧୨ ତାରିଖ ପରେ କିଛି ସ୍ଥାନରେ ଥଣ୍ଡା କମିପାରେ । କିନ୍ତୁ, କନ୍ଧମାଳ, କୋରାପୁଟ, ଗଜପତି, ରାୟଗଡ଼ା ସମେତ ଆଭ୍ୟନ୍ତରୀଣ ଗଞ୍ଜାମରେ ଜାନୁୟାରୀ ମାସ ଶେଷ ଯାଏ ଥଣ୍ଡାର ପ୍ରକୋପ ଜାରି ରହିବ ।
ମଙ୍ଗଳବାର ରାତିରେ ଫୁଲବାଣୀରେ ୫ ଡିଗ୍ରୀ, ରାଉରକେଲାରେ ୫.୧, ଝାରସୁଗୁଡ଼ାରେ ୫.୪, ଦାରିଙ୍ଗବାଡ଼ିରେ ୭, କିରେଇରେ ୭.୪, କେନ୍ଦୁଝରରେ ୭.୬, ଚିପିଲିମାରେ ୭.୭, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୭.୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା । ଝାରସୁଗୁଡ଼ାରେ ସ୍ୱାଭାବିକଠାରୁ ୬.୪ ଡିଗ୍ରୀ କମ୍ ରହିଥିଲା । ଅନୁଗୁଳରେ ସ୍ୱାଭାବିକଠାରୁ ୫.୮, ଭୁବନେଶ୍ୱରରେ ୪.୮, କୋରାପୁଟରେ ୪.୩, ବାଲେଶ୍ୱର ଓ ବାରିପଦାରେ ୪ ଓ କେନ୍ଦୁଝରରେ ସ୍ୱାଭାବିକଠାରୁ ୩.୪ ଡିଗ୍ରୀ କମ୍ ତାପମାତ୍ରା ରେକର୍ଡ ହୋଇଛି ।
