
ଏପ୍ରିଲ ପହିଲାରୁ ଦେଶର ସମସ୍ତ ଟୋଲ୍ ପ୍ଲାଜା କ୍ୟାସ୍ଲେସ୍ ହୋଇଯିବ । ନୂଆ ନିୟମ ଲାଗୁ ହେବା ପରେ ଗାଡ଼ି ଚାଳକଙ୍କୁ ଟୋଲ୍ ଦେୟ ଦେବା ଲାଗି କେବଳ ଫାଷ୍ଟ୍ୟାଗ୍ କିମ୍ବା ୟୁପିଆଇ ପେମେଣ୍ଟ୍ର ବ୍ୟବହାର କରିବାକୁ ହେବ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ସଚିବ ଭି. ଉମାଶଙ୍କର ଏକ ଟେଲିଭିଜନ ସାକ୍ଷାତ୍କାରରେ ଏ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଟୋଲ୍ ପ୍ଲାଜାଗୁଡ଼ିକରେ ନଗଦ ନେଣଦେଣକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି, ଟୋଲ୍ ପ୍ଲାଜାଗୁଡ଼ିକରେ ଲାଗୁଥିବା ଲମ୍ବା ଧାଡ଼ିକୁ ସମାପ୍ତ କରିବା ଏବଂ ଯାତ୍ରାକୁ ବାଧାମୁକ୍ତ କରିବା । ଏହି ‘ନୋ-ଷ୍ଟପ୍’ ସିଷ୍ଟମ୍ର ପାଇଲଟ୍ ପ୍ରକଳ୍ପ ବର୍ତ୍ତମାନ ଦେଶର ୨୫ଟି ଟୋଲ୍ ପ୍ଲାଜାରେ ପରୀକ୍ଷା ଭିତ୍ତିରେ ଆରମ୍ଭ କରାଯାଇଛି । ବର୍ତ୍ତମାନ ସୁଦ୍ଧା ସରକାରୀ ବିଜ୍ଞପ୍ତି ଜାରି ହୋଇନାହିଁ । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଏହି ଡିଜିଟାଲ ପରିବର୍ତ୍ତନକୁ ଲାଗୁ କରିବା ପାଇଁ ଅନ୍ତିମ ରୂପ ଦେଉଛି ।
ବର୍ତ୍ତମାନ ଫାଷ୍ଟ୍ୟାଗ୍ ଅନିବାର୍ଯ୍ୟ ହେବା ସତ୍ତ୍ଵେ କେତେକ ସ୍ଥାନରେ କ୍ୟାସ୍ ଟ୍ରାଞ୍ଜାକ୍ସନ ହେଉଛି । ଡିଜିଟାଲ ପେମେଣ୍ଟ କରୁ ନ ଥିବା ଗାଡ଼ିଗୁଡ଼ିକ କାରଣରୁ ଭିଡ଼ ଲାଗି ରହୁଛି । ନଗଦ କାରବାର ବନ୍ଦ ହେବା ଦ୍ୱାରା ଗାଡ଼ିଗୁଡ଼ିକୁ ଟୋଲ୍ ଗେଟ୍ରେ ଅଟକିବାକୁ ପଡ଼ିବନି । ନଗଦ ଟ୍ରାଞ୍ଜାକ୍ସନ୍କୁ ବନ୍ଦ କରି ସରକାର ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେଉଛନ୍ତି । ଟୋଲ୍ ପ୍ଲାଜାରେ ଗାଡ଼ିଗୁଡ଼ିକ ବାରମ୍ବାର ଅଟକିବା କାରଣରୁ ବଡ଼ ଆକାରରେ ପେଟ୍ରୋଲ ଏବଂ ଡିଜେଲ ନଷ୍ଟ ହୋଇଥାଏ । ନଗଦ କାରବାର ବନ୍ଦ ହେବା ଦ୍ୱାରା ବହୁ ମାତ୍ରାରେ ଇନ୍ଧନ ବଞ୍ଚିବ । ପ୍ରତି ଟ୍ରାଞ୍ଜାକ୍ସନ୍ର ଡିଜିଟାଲ ରେକର୍ଡ ରହିବ, ଯାହାଦ୍ୱାରା ଟୋଲ୍ ସଂଗ୍ରହରେ ହେଉଥିବା ହେରଫେର ବନ୍ଦ ହେବ । ଖୁଚୁରା ଟଙ୍କାକୁ ନେଇ ହେଉଥିବା କୋଳାହଳ ବନ୍ଦ ହେବ ଏବଂ ମାନୁଆଲ ରସିଦ କାଟିବା ଯୋଗୁ ବ୍ୟୟ ହେଉଥିବା ଅତିରିକ୍ତ ସମୟ ବଞ୍ଚିବ । କ୍ୟାସ୍ ପେମେଣ୍ଟ ବନ୍ଦ କରିବା ଦେଶରେ ‘ମଲ୍ଟି-ଲେନ୍ ଫ୍ରୀ ଫ୍ଲୋ’ ସିଷ୍ଟମ୍ ଦିଗରେ ପ୍ରଥମ ପଦକ୍ଷେପ ।
ସରକାର ଏପରି ପ୍ରଯୁକ୍ତି ଉପରେ କାର୍ଯ୍ୟ କରୁଛନ୍ତି, ଯାହାଦ୍ୱାରା ରାଜପଥରେ କୌଣସି ବାଧାବିଘ୍ନ ରହିବ ନାହିଁ । ରାଜପଥରେ ଗାଡ଼ିଗୁଡ଼ିକ ଦ୍ରୁତ ଗତିରେ ଯିବ ଏବଂ କ୍ୟାମେରା ଓ ସେନ୍ସର ସାହାଯ୍ୟରେ ଟୋଲ୍ ଆପଣାଛାଏଁ କଟିଯିବ । ନୂଆ ନିୟମ ଲାଗୁ ହେବା ପୂର୍ବରୁ ବାହନ ଚାଳକଙ୍କୁ ପରାମର୍ଶ ଦିଆଯାଇଛି ଯେ, ସେମାନେ ନିଜ ଫାଷ୍ଟ୍ୟାଗ୍ ଆକାଉଣ୍ଟ୍କୁ ଆକ୍ଟିଭ୍ ରଖନ୍ତୁ । ଯଦି ଫାଷ୍ଟ୍ୟାଗ୍ ବ୍ୟବହାର କରୁନାହାନ୍ତି ତେବେ ନିଜ ସ୍ମାର୍ଟଫୋନ୍ରେ ୟୁପିଆଇ ପେମେଣ୍ଟର ସୁବିଧା ରହିଥିବା ସୁନିଶ୍ଚିତ କରନ୍ତୁ । ଏପ୍ରିଲ ୧ ପରେ ବିନା ଡିଜିଟାଲ ପେମେଣ୍ଟ ଟୋଲ୍ ପ୍ଲାଜାରେ ପହଞ୍ଚିବା ଦ୍ୱାରା ଜରିମାନା ଭରିବାକୁ ପଡ଼ିପାରେ କିମ୍ବା ଅଧା ରାସ୍ତାରୁ ଫେରିବାକୁ ପଡ଼ିପାରେ । ଆଗକୁ ଏହି ନୂଆ ନିୟମର ବିସ୍ତୃତ ବିବରଣୀ ଆସିବ ।
