
ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଗୁଜରାଟରୁ ଆସୁଛି ୧୯ ଜୀବଜନ୍ତୁ । ଏନେଇ ସୁରଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଜୁଲୋଜିକାଲ ଗାର୍ଡେନ ସହ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ କଥାବାର୍ତ୍ତା ସରିଥିବା ଏବଂ କେନ୍ଦ୍ରୀୟ ଚିଡ଼ିଆଖାନା ପକ୍ଷରୁ ଅନୁମତି ମିଳିଥିବା ଜଣାପଡ଼ିଛି ।
ଏହି ସୂତ୍ରରୁ ଜଣାଯାଇଛି ଯେ, ଡ଼ିସେମ୍ବର ୧୦ ତାରିଖ ସୁଦ୍ଧା ନୂଆ ଜୀବଜନ୍ତୁ ଆସି ନନ୍ଦନକାନରେ ପହଞ୍ଚିବେ । ତେଣୁ ନନ୍ଦନକାନନ ପକ୍ଷରୁ ଏକ ଟିମ ଗୁଜୁରାଟ ଯିବା ପାଇଁ ପ୍ରସ୍ତୁତି ସରିଛି । ଗୁଜୁରାଟ ଚିଡ଼ିଆଖାନାରୁ ୪ ପ୍ରଜାତିର ୧୯ ଜୀବଜନ୍ତୁ ଆସୁଥିବା ବେଳେ ଏହାର ପ୍ରତିବଦଳରେ ନନ୍ଦନକାନନ ୫ ପ୍ରଜାତିର ୧୪ ଜୀବଜନ୍ତୁ ଦେଉଛି । ଆସୁଥିବା ଜୀବଜନ୍ତୁ ମଧ୍ୟରେ ଅଛନ୍ତି ୫ଟି ପାଣି ଓଧ , ୨ଟି ଅଣ୍ଡିରା ଧୂସର ଗଧିଆ, ୧୦ଟି ଭାରତୀୟ ପଥର କଇଁଛ ଓ ୨ଟି ରୁପେଲି କୁକୁଟ ଅଛନ୍ତି । ସେହିପରି ନନ୍ଦନକାନନରୁ ଯାଉଥିବା ୫ ପ୍ରଜାତିର ୧୪ ଜୀବଜନ୍ତୁ ମଧ୍ୟରେ ଦୁଇଟି ମହାବଳ ବାଘ, ଦୁଇଟି ମାଈ ଧୂସର ଗଧିଆ, ୩ଟି ଚଉସିଂଙ୍ଗା, ଦୁଇଟି ମାଈ କୁଟୁରା ଓ ୫ଟି ଭାରତୀୟ ବିଲୁଆ ଅଛନ୍ତି ।
