
ଆରମ୍ଭ ହୋଇଛି କାର୍ତ୍ତିକ ମାସର ପଞ୍ଚୁକ । ଏଥରକ ପଞ୍ଚୁକ ଚାରିଦିନ ପାଳନ ହେବାକୁ ଥିବା ବେଳେ ଛାଡ଼ଖାଇକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଆମିଷପ୍ରେମୀ । ହେଲେ ଏବର୍ଷ ଛାଡ଼ଖାଇ ପଡ଼ୁଛି ଗୁରୁବାର । ତେଣୁ ପରଦିନ ଅର୍ଥାତ୍ ଶୁକ୍ରବାର ଛାଡ଼ଖାଇ ପାଳନ ହେବ । ଛାଡ଼ଖାଇ ପୂର୍ବରୁ ଏବେଠୁ ବେପାରୀଙ୍କୁ ବରାଦ ହୋଇଗଲାଣି । ଏଥର ୭ କୋଟି ଟଙ୍କାର ବେପାର ପାଇଁ ଆଶା ରଖିଛନ୍ତି ଆମିଷ ବେପାରୀ ।
ଗତବର୍ଷ ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକରେ ୮ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଆମିଷ ବେପାର ହୋଇଥିଲା। ସେଥିମଧ୍ୟରୁ ଭୁବନେଶ୍ୱରରେ କେବଳ ୫ କୋଟିର ବିକ୍ରିବଟା ହୋଇଥିଲା। ଏଥରକ ଉଭୟ ସହରରେ ୧୦ କୋଟିର ବେପାର ହେବ ବୋଲି ଆକଳନ କରାଯାଇଛି। ଯଦି ଭୁବନେଶ୍ୱର କଥା କହିବା, ଅଣ ଛାଡ଼ଖାଇ ସମୟରେ ପ୍ରତିଦିନ ବେପାର କୋଟିଏ ଛୁଏଁ। ହେଲେ ରଜ, ଛାଡ଼ଖାଇ ଆସିଲେ ବେପାର ୩ଗୁଣ ହୋଇଯାଏ। ଛାଡ଼ଖାଇ ପାଇଁ ଆସନ୍ତା ବୁଧବାର ଦିନ ଭୁବନେଶ୍ୱରକୁ ୪୫୦ରୁ ୫୦୦ କୁଇଣ୍ଟାଲ ଖାସି ଆସିବ। ଏହି ସବୁ ଖାସି କୋଲକାତା ସମେତ ହରିପୁର, ଦଶପଲ୍ଲା, ବାରିପଦା, ଯଶିପୁର ଆଦି ସ୍ଥାନରୁ ଅଣାଯିବ। ସେହିପରି ୨୦୦୦ ଟନ୍ କୁକୁଡ଼ା ମଧ୍ୟ ଆସିବ। ଆନ୍ଧ୍ରପ୍ରଦେଶ ସହ ଚିଲିକା, ଭୂଷଣ୍ଡପୁର, ପାରାଦୀପ, ବାଲେଶ୍ୱର ଓ ଭଦ୍ରକ ଆଦି ସ୍ଥାନରୁ ୨୦ରୁ ୨୫ଟି ମାଛ ଗାଡ଼ି ପାଇଁ ବରାଦ ଦିଆଯାଇଛି । ଆସନ୍ତାକାଲି ଦର ତାଲିକା କରାଯିବ ବୋଲି ନିଖିଳ ଓଡ଼ିଶା ଆମିଷ ବ୍ୟବସାୟୀ ମହାସଂଘ ପକ୍ଷରୁ ସୂଚନା ମିଳିଛି।

