
ଭାଇଚାରାର ସହର କଟକ ଏବେ ପୁଣି ଶାନ୍ତି ଓ ସ୍ବାଭାବିକ ଜୀବନରେ ଫେରିଆସିଛି। ୪୮ ଘଣ୍ଟା ପରେ ସହରରେ ଇଣ୍ଟରନେଟ ଓ ସୋସିଆଲ ମିଡିଆ ସେବା ସ୍ବାଭାବିକ ହୋଇଯାଇଛି। ସୋସିଆଲ ମିଡିଆ ଉପରୁ ଲାଗିଥିବା ନିଷେଧ ମଧ୍ୟ ହଟାଇ ଦିଆଯାଇଛି।
୫ ତାରିଖ ସଂଧ୍ୟା ୭ଟାରେ ପ୍ରଥମେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ କଟକଣା ଲାଗିଥିଲା, ତାପରେ ୬ ତାରିଖ ସଂଧ୍ୟାରେ ଆଉ ୨୪ ଘଣ୍ଟା ପାଇଁ ବଢ଼ାଯାଇଥିଲା। ଏବେ ସହରର ସ୍ଥିତି ସ୍ବାଭାବିକ ହେବା ପରେ ସମସ୍ତ ନିଷେଧ ହଟାଇ ଦିଆଯାଇଛି।
ଗତକାଲି ସକାଳ ୧୦ଟାରେ କଟକ ସହରର ୧୩ଟି ଥାନା ଅଞ୍ଚଳରୁ କର୍ଫ୍ୟୁ ହଟାଇ ଦିଆଯାଇଥିଲା। ଯଦିଓ କର୍ଫ୍ୟୁ ହଟିଛି, ସହର ଏବେବି ପୁଲିସ ଚାଦରରେ ରହିଛି। ଛକ ଛକରେ ପୋଲିସ ଟହଲ ଓ କଠିନ ଚେକିଂ ଜାରି ରହିଛି। ଦରଘା ବଜାର ଓ ଅନ୍ୟ ସମ୍ବେଦନଶୀଳ ସ୍ଥାନମାନେ ପହରାରେ ରହିଛନ୍ତି।
୩ ତାରିଖ ରାତିରେ ଭସାଣ ସମୟରେ ଦରଘା ବଜାର ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ସଂଘର୍ଷ ପରେ ସହର ଅଶାନ୍ତ ହାଇପାଡ଼ିଥିଲା। ପରେ ୫ ତାରିଖରେ ବାଇକ ଶୋଭାଯାତ୍ରା ବେଳେ ପୋଲିସ ସହ ମୁହାଁମୁହିଁ ଘଟିବା ପରେ କର୍ଫ୍ୟୁ ଲାଗିଥିଲା ଓ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା।
ଏବେ ସହରରେ ଜୀବନ ଧାରା ସାଧାରଣ ହୋଇଛି, ବଜାର ଖୋଲିଛି ଓ ଲୋକମାନେ ନିଜ ଦୈନନ୍ଦିନ କାମରେ ବ୍ୟସ୍ତ ହେଉଛନ୍ତି। ପୁଲିସ ପକ୍ଷରୁ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅନୁରୋଧ ଜାରି କରାଯାଇଛି।
