
କୁମାର ପୂର୍ଣ୍ଣିମା ପାଇଁ ଗାଁକୁ ଯିବେ ବୋଲି ମାଲିକଙ୍କୁ ବାକି ଟଙ୍କା ମାଗିଲେ । ହେଲେ ହୋଟେଲ ମାଲିକଙ୍କ ମୁଣ୍ଡକୁ ଚଢ଼ିଗଲା ପିତ୍ତ । କର୍ମଚାରୀକୁ ଶାବଳରେ ନିସ୍ତୁକ ପିଟିଲେ । ମାଡ଼ରେ କର୍ମଚାରୀଙ୍କ ମୁଣ୍ଡ ଫାଟିବା ସହ ଶରୀର ସାରା ମାଡ଼ର ଦାଗ ଚିହ୍ନ ରହିଛି । ଏପରିକି ଶରୀର ସମ୍ପୂର୍ଣ୍ଣ ଫୁଲିଯାଇଛି । ମୁମୂର୍ଷୁ ଅବସ୍ଥାରେ କର୍ମଚାରୀକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ସଦର ଥାନା ପୁଲିସ । ଆହତ କର୍ମଚାରୀ ହେଲେ ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଓଖାଇର ବିଜୟ କୁମାର ସାହୁ (୩୫) । ଏନେଇ ବିଜୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ହୋଟେଲ ମାଲିକ ଲକ୍ଷ୍ମୀଧର ବରାଳ ଫେରାର ହୋଇଯାଇଛି ।
ସଦର ଥାନା ଅଧୀନ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ମାଳତୀପାଟପୁର ଓଭରବ୍ରିଜ୍ଠାରେ ଲକ୍ଷ୍ମୀଧର ବରାଳଙ୍କ ‘ବୋଉ’ ନାମରେ ଏକ ହୋଟେଲ୍ ରହିଛି । ବିଜୟ ୧୫ ଦିନ ହେବ ହୋଟେଲରେ ଦୋସା ମିସ୍ତ୍ରି ଭାବେ କାମ କରୁଥିଲା । ବିଜୟ ପ୍ରତିଦିନ ସକାଳ ୬ରୁ ୧୧ଟା ଓ ଅପରାହ୍ଣ ୫ଟାରୁ ରାତ୍ର ୧୨ଟା ପର୍ଯ୍ୟନ୍ତ କାମ କରେ । ଏଥିଲାଗି ଦିନକୁ ୮୦୦ ଟଙ୍କା ପାଉଣା ସ୍ଥିର ହୋଇଥିଲା । ଗାଁକୁ ଯିବାର ଥିବାରୁ ବିଜୟ ରବିବାର ରାତିରେ ଲକ୍ଷ୍ମୀଧରକୁ ବାକି ରହିଥିବା ୫ ଦିନର ଟଙ୍କା ମାଗିଥିଲା । ସକାଳେ ଟଙ୍କା ଦେବି ବୋଲି କହି ଲକ୍ଷ୍ମୀଧର ଘରକୁ ଯାଇଥିଲା । ହଠାତ୍ ସକାଳ ୬ଟାରେ ଲକ୍ଷ୍ମୀଧର ହୋଟେଲରେ ପହଞ୍ଚି କ’ଣ ପାଇଁ ଟଙ୍କା ମାଗିଲୁ କହି ଏକ ଘରେ ପୂରାଇ ଶାବଳରେ ବିଜୟକୁ ପିଟିବାକୁ ଲାଗିଲା । ବିଜୟ ଚିତ୍କାର କରିଥିଲେ ମଧ୍ୟ ଲକ୍ଷ୍ମୀଧର ଶୁଣିନଥିଲା । ସକାଳ ୧୦ଟା ପର୍ଯ୍ୟନ୍ତ ସେ ଘରୁ ବାହାରକୁ ଛାଡ଼ିନଥିଲା । କାଳେ କାହାକୁ ଜଣାଇଦେବ ଭାବି ବିଜୟର ମୋବାଇଲ୍କୁ ଛଡ଼ାଇ ରଖିଥିଲା । ବିଜୟ ଉପରେ ମାଡ଼ ଦେଖି ଅନ୍ୟ କର୍ମଚାରୀ ହୋଟେଲ ଛାଡ଼ି ଦୌଡ଼ି ପଳାଇଥିଲେ । କୌଣସି ମତେ ବିଜୟ ସଦର ଥାନାରେ ପହଞ୍ଚି ପୁଲିସ ସହାୟତାରେ ହସ୍ପିଟାଲ୍ରେ ପହଞ୍ଚିଥିଲା । ଏ ସମ୍ପର୍କରେ ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ କୁହନ୍ତି, ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରାଯାଇଛି । ତୁରନ୍ତ ଅଭିଯୁକ୍ତକୁ ଗିରଫ କରାଯିବ ।
ସୂଚନାଯୋଗ୍ୟ, ଗତ ଦଶହରା ଦିନ କୁମ୍ଭାରପଡ଼ା ଥାନା ଅଧୀନ ଭିଆଇପି ରୋଡର ଏକ ତାରକା ହୋଟେଲକୁ ଖାଇବାକୁ ଯାଇ ହୋଟେଲ ମାଲିକ ଓ କର୍ମଚାରୀଙ୍କଠାରୁ ନିସ୍ତୁକ ମାଡ଼ ଖାଇ ଫେରିଥିଲେ ଦମ୍ପତି । ଏହାକୁ ନେଇ ସହରରେ ଆଲୋଚନା ଜାରି ରହିଥିବାବେଳେ ପୁଣି ଜଣେ ହୋଟେଲ ମାଲିକଙ୍କ ନିର୍ଯାତନା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ା
