
ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ରଙ୍ଗିଆଢ଼ିପା ଗାଁରେ ଏକ ହୃଦୟବିଦାରକ ତଥା ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ମାତ୍ର କିଛି ଟଙ୍କା ପାଇଁ ଜଣେ ୮୦ ବର୍ଷର ବୃଦ୍ଧାଙ୍କୁ ଅତି ନିର୍ମମ ଭାବେ ଜିଅନ୍ତା ଜାଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବୃଦ୍ଧା ଜଣକ ହେଉଛନ୍ତି ସୁମିତ୍ରା ବାଗ। ଏହି ବର୍ବର କାଣ୍ଡ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେବା ସହ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଗତ ବୁଧବାର ଦିନ ସୁମିତ୍ରା ଦେବୀ ପଞ୍ଚାୟତ କାର୍ଯ୍ୟାଳୟରୁ ନିଜର ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୩,୫୦୦ ଟଙ୍କା ଧରି ଘରକୁ ଫେରିଥିଲେ। ସେହିଦିନ ଠାରୁ ତାଙ୍କର କୌଣସି ପତ୍ତା ମିଳିନଥିଲା। ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ତାଙ୍କ ଘରର କବାଟ ଭିତରୁ ବନ୍ଦ ରହିଥିବାରୁ ଏବଂ ସେ ବାହାରକୁ ନବାହାରିବାରୁ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା।
ଶୁକ୍ରବାର ଦିନ ବୃଦ୍ଧାଙ୍କର ଜଣେ ସମ୍ପର୍କୀୟ ନାତି ତାଙ୍କୁ ଦେଖା କରିବାକୁ ଆସିଥିଲେ। ବାରମ୍ବାର କବାଟ ବାଡ଼େଇବା ପରେ ମଧ୍ୟ କୌଣସି ଉତ୍ତର ନମିଳିବାରୁ ସେ କବାଟ ତାଡ଼ି ଭିତରକୁ ପଶିଥିଲେ। ସେଠାରେ ସେ ଦେଖିବାକୁ ପାଇଥିଲେ ଯେ ଖଟ ଉପରେ ସୁମିତ୍ରାଙ୍କ ଦଗଧ ମୃତଦେହ ପଡ଼ି ରହିଛି। ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ି ପାଉଁଶ ହୋଇଯାଇଥିଲା। ଏହି ଭୟଙ୍କର ଦୃଶ୍ୟ ଦେଖିବା ପରେ ସେ ତୁରନ୍ତ ଗ୍ରାମବାସୀଙ୍କୁ ଜଣାଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ଝାରସୁଗୁଡ଼ାରେ ରହୁଥିବା ବୃଦ୍ଧାଙ୍କ ଦୁଇ ପୁଅ ଗାଁରେ ପହଞ୍ଚି ହେମଗିରି ଥାନାରେ ଏତଲା ଦେଇଥିଲେ। ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ପ୍ରାଥମିକ ଭାବେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଭତ୍ତା ଟଙ୍କା ପାଇଁ କେହି ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି। ପୋଲିସ ବର୍ତ୍ତମାନ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି।
