
ଫିରିଙ୍ଗିଆ ପୁଲିସକୁ ବଡ ସଫଳତା। ଦୁଇ ଦାମୀ କାର ସହ ୭୫ କିଲୋ ଗଞ୍ଜେଇ ଜବତ। ୪ ଜଣଙ୍କୁ ଗିରଫ କରିଛି ପୁଲିସ । ଗଞ୍ଜେଇ କାରବାର ପାଲଟିଥିବା କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅଞ୍ଚଳରେ ଚାଲିଛି ଗଞ୍ଜେଇ କାରବାର । ବିଗତ ମାସେ ଧରି ଫିରିଙ୍ଗିଆ ପୁଲିସ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛକୁ ଅପରେସନ ନିଳ ଜହର ଅଭିଯାନରେ ନଷ୍ଟ କରିଛି। ହେଲେ ଥାନା ଅଞ୍ଚଳର କିଛି ଗଞ୍ଜେଇ ମାଫିଆ ପୁଲିସର କଡା ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଚ କରି କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ବାହାର ଜିଲ୍ଲାକୁ ଚାଲାଣ କରିବାରେ ଲାଗିଛନ୍ତି । ତେବେ ଦୀର୍ଘଦିନ ପରେ ଫିରିଙ୍ଗିଆ ପୁଲିସ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ।
ତେବେ କାରରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୁଲିସକୁ ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଖବରପାଇ ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଏସଆଇଙ୍କ ସହ ଏକ ଟିମ ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ଫିରିଙ୍ଗିଆ କାଳିଆ ସାହି ପେଟ୍ରୋଲ ପମ୍ପ ନିକଟରେ ଛକି ରହିଥିଲା । ଦ୍ରୁତ ଗତିରେ ଆସୁଥିବା ୨ଟି କାରରୁ ଅଟକାଇଥିଲା ପୁଲିସ । ଏହାପରେ ଗାଡିକୁ ଯାଞ୍ଚ କରି ସେଥିରୁ ପୁଳାପୁଳା ଗଞ୍ଜେଇ ବାହାର କରାଯାଇଥିଲା। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିବା ବେଳେ ୪ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେପଟେ ଅଭିଯୁକ୍ତମାନଙ୍କ ମଧ୍ୟରେ ତିନିଜଣ ଫିରିଙ୍ଗିଆ ଥାନା ବନ୍ଧଗଡ଼ ପଞ୍ଚାୟତ ବକାପାଲି ଗାଁର ପିଙ୍କୁ ଦିଗାଳ, ଚିଣ୍ଟୁ ଦିଗାଳ ଓ ସାନନ୍ଦ ଦିଗାଳ ବୋଲି ଜଣାପଡିଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଧୀନରେ ଥିବା ବାଲିପଦର ଗାଁର ଆଶିଷ ଦିଗାଳ ବୋଲି ଜଣାପଡିଛି। ପୁଲିସର ସୂଚନା ଅନୁସାରେ, ଫିରିଙ୍ଗିଆ ଥାନା ବନ୍ଧଗଡ଼ ଅଂଚଳରୁ ରାଜଧାନୀ ଭୁବନେଶ୍ବରକୁ ଦୁଇଟି ଚାଲାଣ କରାଯାଇଛି।
