
ଇଂରାଜୀ ନବବର୍ଷ ଉପଲକ୍ଷେ ଆସନ୍ତା ୩୧ ଓ ୧ ତାରିଖରେ ପ୍ରବଳ ଭିଡ଼ ତଥା ଜନଗହଳି ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଧ୍ୱଜା ବନ୍ଧା ନୀତି ଅପରାହ୍ଣ ୩ଟା ସୁଦ୍ଧା ଶେଷ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଇୀ ନିର୍ଦ୍ଦେଶ ଦେଇଛନ୍ତି | ଏନେଇ ଧ୍ୱଜା ବନ୍ଧା ସେବା ପ୍ରଦାନ କରୁଥିବା ଚୁନରା ସେବକଙ୍କୁ ଆଦେଶ ଦିଆଯାଇଛି। ଅପରାହ୍ଣରେ କମ୍ ଗହଳି ମଧ୍ୟରେ ଧ୍ୱଜା ବନ୍ଧା ହେବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ଡ. ପାଢ଼ୀ ସୂଚନା ଦେଇଛନ୍ତି ।
ଏଥିପାଇଁ ଅପରାହ୍ଣ ସାଢ଼େ ୧ଟା ସୁଦ୍ଧା ଧ୍ୱଜା ବନ୍ଧା ରସିଦ କରାଯାଇ ୧ଟା ୪୫ ସୁଦ୍ଧା ଧ୍ୱଜାଗୁଡ଼ିକୁ ଚୁନରା ପାଳିଆ ସେବକଙ୍କୁ ହସ୍ତାନ୍ତର ପାଇଁ ଲେଙ୍କା ସେବକଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ଏଥିସହ ଘଣ୍ଟି ଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରବେଶ ଓ ପ୍ରସ୍ଥାନ ସୁଗମ କରିବା ତଥା ଗହଳି ନିୟନ୍ତ୍ରଣ ପାଇଁ ଚୁନରା ସେବକମାନେ କୌଣସି ଉଲାଗି ଧ୍ୱଜା ଗାରଦ ପଶ୍ଚାତ ଭାଗରେ ବିକ୍ରୟ ନ କରିବା ପାଇଁ ବାରଣ କରାଯାଇଛି । ଏହାକୁ ନିଶ୍ଚିତ କରାଯିବାକୁ ଶ୍ରୀମନ୍ଦିର କମାଣ୍ଡର ଏବଂ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଚୂନରା ସେବକମାନଙ୍କର ସହଯୋଗ କାମନା କରିବା ସହ କୌଣସି ବ୍ୟତିକ୍ରମ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।
