
ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଜଣେ ଦଶମଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ବୀରମିତ୍ରପୁର ପୁଲିସ ଗିରଫକରି ସୁନ୍ଦରଗଡ଼ ପୋକ୍ସୋ କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଉଛନ୍ତି କୁମଝରିଆ ଅଞ୍ଚଳର କୁଲଦୀପ ହାଁସଦା।
ସୂଚନା ଅନୁଯାୟୀ, ଅଭିଯୁକ୍ତ କୁଲଦୀପ ନାବାଳିକା ଛାତ୍ରୀଙ୍କୁ ଫେସ୍ବୁକ୍ ମାଧ୍ୟମରେ ନିଜ ପ୍ରେମଜାଲରେ ଫସାଇଥିଲେ। ଜୁନ୍ମାସରେ ଛାତ୍ରୀଙ୍କୁ ଡକାଇ ଜୋରଜବରଦସ୍ତ ତାଙ୍କ ଗାଁ ନିକଟସ୍ଥ ଜଙ୍ଗଲକୁ ନେଇ ସେଠାରେ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରୁ ମାରିଦେବା ଧମକଦେଇ ସେଠାରୁ ଫେରାର ହୋଇଯାଇଥିଲେ। ଭୟରେ ଛାତ୍ରୀଜଣକ ଏ ବିଷୟରେ ଘରେ କାହାରିକୁ କହିନଥିଲେ।
ଦୁଇଦିନ ଆଗରୁ ପେଟବ୍ୟଥା ହେବାରୁ ଛାତ୍ରୀଙ୍କ ପରିବାରଲୋକେ ରାଉରକେଲା ସରକାରୀ ଡାକ୍ତରଖାନା ନେଇଥିଲେ। ସେଠାରେ ପରୀକ୍ଷାପରେ ଛାତ୍ରୀ ପାଞ୍ଚମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ପରିବାର ପଚାରିବାରୁ ଛାତ୍ରୀ ସବୁକଥା କହିଥିଲେ। ଗୁରୁବାର ରାତିରେ ଛାତ୍ରୀଙ୍କ ପରିବାର ପକ୍ଷରୁ ଏ ସମ୍ପର୍କରେ ବୀରମିତ୍ରପୁର ଥାନାରେ ଲିଖିତ ଏତଲା ଦିଆଯାଇଥିଲା ।
ବୀରମିତ୍ରପୁର ଥାନାଧିକାରୀ ରାମପ୍ରସାଦ ନାଗ ୬୧୬/୧୮ ପୋକ୍ସୋ ଧାରାରେ ଏକ ମାମଲା ରୁଜୁକରି ତାଙ୍କ ଗାଁରେ ଚଢ଼ଉକରି ଅଭିଯୁକ୍ତକୁ ଗିରଫ କରିଥିଲେ। ଶୁକ୍ରବାର ଅଭିଯୁକ୍ତକୁ ଡାକ୍ତରୀମାଇନା ଓ କୋର୍ଟଚାଲାଣ କରାଯାଇଥିବାବେଳେ ପୀଡ଼ିତାଛାତ୍ରୀଙ୍କୁ ରାଉରକେଲା ସଖୀଘରେ ରଖାଯାଇଛି ବୋଲି ଥାନାଧିକାରୀ ଶ୍ରୀ ନାଗ ସୂଚନା ଦେଇଛନ୍ତି।
