
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଟାରିଫ୍ ହଟାଇବାକୁ ଚାପ ପଡିଛି । ଭାରତ ଉପରୁ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ହ୍ରାସ କରିବାକୁ ଆମେରିକା ସଂସଦରେ ସ୍ୱର ଉଠିଛି । ଆମେରିକାର ୩ ଡେମୋକ୍ରାଟିକ ସାଂସଦ ସଂସଦରେ ୫୦ ପ୍ରତିଶତ ଟାରିଫ୍ ବିରୋଧରେ ପ୍ରସ୍ତାବ ଆଣିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଭାରତ ଉପରେ ଲଗାଇଥିବା ଟାରିଫ୍ ବିରୋଧରେ ହାଉସ୍ ଅଫ୍ ରିପ୍ରେଜେଣ୍ଟିଭ ( ଆମେରିକା କଂଗ୍ରେସର ନିମ୍ନ ସଦନ)ରେ ପ୍ରସ୍ତାବ ଉପସ୍ଥାପିତ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ଜାତୀୟ ଜରୁରୀକାଳୀନ ପରିସ୍ଥିତିରରେ ଲାଗୁ ହୋଇଥିବା ଏହି ଶୁଳ୍କ ବେଆଇନ ଏବଂ ସାଧାରଣ ଆମେରିକୀୟଙ୍କୁ କ୍ଷତି ପହଞ୍ଚାଉଛି । ଭାରତ ଉପରେ ଲାଗୁ ହୋଇଥିବା ୫୦ ପ୍ରତିଶତ ଶୁଳ୍କ ପ୍ରତ୍ୟାହାର କରିବାକୁ ଆହ୍ୱାନ କରାଯାଇଛି ।
ଏକ ବିବୃତ୍ତିରେ ଡେମୋକ୍ରାଟିକ୍ ସାଂସଦ ଡେବୋରା ରସ୍, ମାର୍କ ଭିସେ ଏବଂ ଭାରତୀୟ ବଂଶୋଦ୍ଭୋବ ରାଜା କୃଷ୍ଣମୂର୍ତ୍ତି କହିଛନ୍ତି, ଏହି ଶୁଳ୍କଗୁ଼ଡ଼ିକ ବେଆଇନ, ଆମେରିକୀୟ ସ୍ୱାର୍ଥ ବିରୋଧରେ ଏବଂ ସାଧାରଣ ଆମେରିକୀୟମାନଙ୍କୁ ସବୁଠାରୁ ଅଧିକ କ୍ଷତି ପହଞ୍ଚାଇଛି । ଏଗୁଡ଼ିକ ମୂଳତଃ ଦୈନନ୍ଦିନ ଜିନିଷଗୁଡ଼ିକ ଉପରେ ଅତିରିକ୍ତ ଟିକସ । ଅଗଷ୍ଟ ୧ରେ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ । ଅଗଷ୍ଟ ୨୭ରେ ରୁଷ ତେଲ କିଣିବା ପାଇଁ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍ କଷିଥିଲେ ଯାହା ମୋଟ୍ ୫୦ ପ୍ରତିଶତ ହୋଇଥିଲା । ଯାହା ଅନେକ ଭାରତୀୟ ଉତ୍ପାଦର ଆମଦାନୀ ମୂଲ୍ୟକୁ ଦ୍ୱିଗୁଣିତ କରିଥିଲା । ରାଷ୍ଟ୍ରପତି ଟ୍ରମ୍ପ ଯୁକ୍ତି ଦେଇଥିଲେ କି, ଭାରତ ଏବେ ବି ରୁଷୀୟ ତେଲ କିଣୁଛି, ଯାହା ୟୁକ୍ରେନ ବିରୋଧରେ ମସ୍କୋର ଯୁଦ୍ଧକୁ ପାଣ୍ଠି ଯୋଗାଉଛି । ଶୁଳ୍କ ନୀତି କାର୍ଯ୍ୟକାରୀ କରିବାକୁ ଡୋନାଲ୍ଡ ଟ୍ରମ୍ପ ଅନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୈତିକ ଶକ୍ତି ଆଇନର ବ୍ୟବହାର କରିଥିଲେ । ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ବିରୋଧରେ ସ୍ୱର ଉଠାଇଛନ୍ତି ଆମେରିକା କଂଗ୍ରେସ ସାଂସଦ ।
ବିବୃତ୍ତି ଅନୁଯାୟୀ, ପ୍ରସ୍ତାବରେ ଭାରତ ଉପରେ ଲାଗୁ ହୋଇଥିବା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ହଟାଇବାକୁ କୁହାଯାଇଛି, ଯାହା ଅଗଷ୍ଟ ୨୭, ୨୦୨୫ରୁ ଲାଗୁ ହୋଇଛି । ଏହି ଶୁଳ୍କ ପୂର୍ବରୁ ପ୍ରଯୁଜ୍ୟ ପାରସ୍ପରିକ ଶୁଳ୍କ ଉପରେ ଲାଗୁ କରାଯାଇଥିଲା, ଯାହା ଅନେକ ଭାରତୀୟ ଉତ୍ପାଦ ଉପରେ ମୋଟ ଆମଦାନୀ ଶୁଳ୍କକୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲା । ଏହି କାର୍ଯ୍ୟାନୁଷ୍ଠାନ ଆନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୈତିକ ଶକ୍ତି ଆଇନ (IEEPA) ଅଧୀନରେ ନିଆଯାଇଥିଲା ।
