
ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ଶୀତ ଅନୁଭୂତ ହେବ । କାଲୁଆ ପବନ କଲବଲ କରିବ । ଭୋର୍ରୁ ଘନ କୁହୁଡ଼ିର ଆସ୍ତରଣ ବି ବାଟ ଓଗାଳିବ । ଶୀତ ଲହରିରେ ପୂରା ଓଡ଼ିଶା ଥରିବ । ପାଣିପାଗ ବିଭାଗ(ଆଇଏମଡି) ଏହି ଆକଳନ କରିଛି ।
ରବିବାର ରାଉରକେଲା ଓ ଝାରସୁଗୁଡ଼ାରେ ପାରଦ ୯ ଡିଗ୍ରୀ ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ଶୁକ୍ରବାର ଜି.ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ରହିଥିଲା । ଏଠାରେ ପାରଦ ୫.୬ ଡିଗ୍ରୀ ରହିଥିଲା । ଘନ କୁହୁଡ଼ି ଯୋଗୁ ଫୁଲବାଣୀରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ରହିଥିଲା । କୋରାପୁଟ ଓ ଫୁଲବାଣୀରେ ୧୦୦ ମିଟରରୁ କମ୍ ରହିଥିଲା ।
ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୮ଡିଗ୍ରୀ, ରାଉରକେଲାରେ ୮.୧, ଫୁଲବାଣୀରେ ୮.୫, କେନ୍ଦୁଝରରେ ୯.୪, ଅନୁଗୁଳରେ ୯.୮, ଭବାନୀପାଟଣାରେ ୧୦.୮, ସୁନ୍ଦରଗଡ଼ରେ ୧୦.୬, ବୌଦ୍ଧ ଓ ଢେଙ୍କାନାଳରେ ୧୧.୯, କଟକ ଓ ସୋନପୁରରେ ୧୨.୪, ଭୁବନେଶ୍ୱର ଓ ନବରଙ୍ଗପୁରରେ ୧୩, ବାଲେଶ୍ୱରରେ ୧୩.୧, ଟିଟିଲାଗଡ଼ ଓ ମାଲକାନଗିରିରେ ୧୩.୫ ଡିଗ୍ରୀ ରେକର୍ଡ ହୋଇଛି ।
ଅନୁଗୁଳ ଓ ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୪.୯ ଡିଗ୍ରୀ କମ୍ ରେକର୍ଡ ହୋଇଥିଲା । ଭୁବନେଶ୍ୱରରେ ସ୍ୱାଭାବିକଠାରୁ ୩.୨ଡିଗ୍ରୀ, ବାଲେଶ୍ୱର ଓ କୋରାପୁଟରେ ୨.୬ ଡିଗ୍ରୀ, ଗୋପାଳପୁରରେ ୧.୭ ଡିଗ୍ରୀ କମ୍ ରେକର୍ଡ ହୋଇଛି ।
