
ରାଜ୍ୟ ପୋଲିସ ନିଜର କର୍ତ୍ତବ୍ୟ ଠିକଣା ଭାବେ ସମ୍ପାଦନା କରିପାରୁ ନ ଥିବାରୁ ଅପରାଧ ବଢୁଛି। ଏହି ପରିପ୍ରେକ୍ଷୀରେ ଯଦି ସରକାର ପୋଲିସକୁ ମୋଟର ଯାନ ଯାଞ୍ଚ ଦାୟିତ୍ୱ ପ୍ରଦାନ କରନ୍ତି ତେବେ ବସ୍ ଓ ମୋଟର ଯାନ ମାଲିକମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବେ। ସରକାର ତୁରନ୍ତ ଏହାର ସୁବିଚାର କରନ୍ତୁ। ପୋଲିସକୁ ତା’ କାର୍ଯ୍ୟ କରିବାକୁ ଦିଆଯାଉ ଏବଂ ଏମ୍ଭିଆଇଙ୍କୁ ତାଙ୍କ କାର୍ଯ୍ୟ କରିବାକୁ ଦିଆଯାଉ ବୋଲି ଅଲ୍ ଓଡ଼ିଶା ମୋଟର ବସ୍ ଓନର୍ସ ଆସୋସିଏଶନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ରରେ କୁହାଯାଇଛି। ଆସୋସିଏଶନର ସାଧାରଣ ସମ୍ପାଦକ କହିଛନ୍ତି, ଯଦି ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତିରେ ଅଟଳ ରୁହନ୍ତି, ତେବେ ଡିସେମ୍ବର ପହିଲାରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ କରାଯିବ। ସୋମବାର ଆସୋସିଏଶନର ସାଧାରଣ ସମ୍ପାଦକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ସ୍ମାରକପତ୍ରରେ ଦର୍ଶାଇଛନ୍ତି, ପୋଲିସ ଏହି ଯାଞ୍ଚ ଦାୟିତ୍ୱ ନେବାପାଇଁ ସରକାରୀସ୍ତରରେ ନିଷ୍ପତ୍ତି ହୋଇଛି। ଏହାକୁ ଖୁବ୍ଶୀଘ୍ର ଲାଗୁ କରାଯିବାକୁ ରହିଛି। ତେବେ ନିକଟରେ ମାର୍ଶାଘାଇରେ ଏଭଳି ଏକ ଘଟଣା ଯୋଗୁ ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଇତିମଧ୍ୟରେ ୫୦୦ ବସ୍ ମାଲିକଙ୍କ ନିକଟକୁ ଇ-ଚାଲାଣ ଆସିଲାଣି। ଏହାଦ୍ୱାରା ବସ୍ ମାଲିକମାନେ ବିଶେଷଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏନେଇ ନଭେମ୍ବର ୨୫ରେ ସଂଘର ସାଧାରଣ ବୋର୍ଡ ବୈଠକ ଅନୁଷ୍ଠିତ ହେବ।
ଆସୋସିଏଶନର ସାଧାରଣ ସମ୍ପାଦକ କହିଛନ୍ତି, ମୋଟର ଯାନ ଆଇନ-୧୯୮୮ ଅନୁଯାୟୀ ମୋଟରସାଇକେଲ ଚଳାଇବା ବେଳେ ହେଲମେଟ୍ ପିନ୍ଧିବା, ସିଟ୍ ବେଲ୍ଟ ବାନ୍ଧିବା, ତିନିଜଣ ବସି ଯିବା କଥା ନୁହେଁ, ମଦ୍ୟପାନ କରିବା କଥା ନୁହେଁ । ଆଇନର ଅନୁପାଳନ ହେଲେ ଦୁର୍ଘଟଣା କମିପାରିବ। ମାତ୍ର ଏହାକୁ ଗୁରୁତ୍ୱ ନ ଦେଇ ପୋଲିସକୁ ଅତିରିକ୍ତ କ୍ଷମତା ପ୍ରଦାନ କରିବା ଦ୍ୱାରା ବସ୍ ମାଲିକମାନେ ଅଧିକ କ୍ଷତିଗ୍ରସ୍ତ ହେବେ। ସରକାର ସଂଘର ପ୍ରସ୍ତାବକୁ ସହୃଦୟତାର ସହ ବିଚାର କରନ୍ତୁ ବୋଲି ଆସୋସିଏଶନର ସାଧାରଣ ସମ୍ପାଦକ କହିଛନ୍ତି।
