
ବାଘ ଛାଲ ନେଇ ଡିଲ୍ ଚାଲିଥିଲା । ଖବର ପାଇ ମାଡ଼ିବସିଲା ପୁଲିସ । ହୋଟେଲ ମେଫେୟାର ବସ୍ତି ନିକଟରୁ ଜବତ ହେଲା ଏକ କଲରାପତରିଆ ବାଘ ଛାଲ । ଘଟଣାରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ରୋହିତ ମହାପାତ୍ର, ମଞ୍ଜିତ ସାବତ ଏବଂ ଶମ୍ଭୁ ବିଷୋୟୀ ।
ସୂଚନା ମୁତାବକ, ଅଭିଯୁକ୍ତ ରୋହିତ ମହାପାତ୍ର ଏବଂ ତାଙ୍କ ସହଯୋଗୀମାନେ ଦୀର୍ଘ ସମୟ ଧରି ବନ୍ୟଜନ୍ତୁଙ୍କ ଚୋରା ଚାଲାଣ କରୁଥିଲେ । ରବିବାର ସନ୍ଧ୍ୟା ପ୍ରାୟ ୫ଟାରେ ହୋଟେଲ ମେଫେୟାର ବସ୍ତି ନିକଟରେ ବାଘ ଛାଲକୁ ନେଇ ଡିଲ୍ ହେବାର ଥିଲା । ଯାହା ବିଷୟରେ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ପୁଲିସ । ଖବର ପାଇ ଡିସିପି, ଏସସିୟୁ ଏବଂ ଅନୁପ କାନୁନଗୋଙ୍କ ନେତୃତ୍ୱରେ ଏକ ଟିମ୍ ଉକ୍ତ ସ୍ଥାନରେ ଚଢାଉ କରିଥିଲା । ଚଢାଉ କରି ଘଟଣାରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଥିଲା ପୁଲିସ । ସେମାନଙ୍କ ନିକଟରୁ ଏକ ବାଘ ଛାଲ ମଧ୍ୟ ଜବତ ହୋଇଥିଲା । ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଏହା ସହ ଘଟଣାର ତଦନ୍ତ ମଧ୍ୟ ଜାରି ରହିଛି ।
