
କାର୍ତ୍ତିକ ମାସରେ ବୁଡ଼ ପକାଇବା ବେଳେ ନଦୀରେ ଭାସିଗଲେ ଦୁଇ ମହିଳା । ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ମୃତକ ହେଉଛନ୍ତି ଟିକରପଡ଼ା ଗ୍ରାମର ସବିତା ଗୌଡ଼ ଓ ଲଳିତା ପାଢ଼ୀ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଟିକରପଡ଼ା ଗାଁରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, କାର୍ତ୍ତିକ ମାସରେ ରାତି ୩ ଟାରୁ ଉଠି ନଦୀରେ ଗାଧୋଇବା ପରେ ଶିବ ମନ୍ଦିର ଯାଇଥାନ୍ତି କିଛି ଗ୍ରାମବାସୀ । ଆଜି ଗାଧୋଇବା ବେଳେ ହଠାତ ନଦୀର ପାଣିରେ ଦୁଇ ଜଣ ମହିଳା ଭାସିଯାଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କିଛି ସମୟ ପରେ ଦୁଇ ମହିଳାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲ୍ ଆଣାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ବାତ୍ୟା ମୋନ୍ଥା ପାଇଁ ଘୋଡ଼ାହାଡ଼ ନଦୀରେ ପାଣିର ସ୍ରୋତ ଅଧିକ ରହିଛି । ତେଣୁ ଘୋଡ଼ାହାଡ଼ ନଦୀକୁ ଗାଧୋଇବାକୁ ନ ଯିବାକୁ ବାରଣ କରାଯାଇଛି । ଏହା ସତ୍ତ୍ୱେ ଲୋକେ ବାରମ୍ବାର ନଦୀକୁ ଯାଉଛନ୍ତି । ତେଣୁ ଏହି ଦୁର୍ଘଟଣା ହେଉଥିବା ଘୋଡ଼ାହାଡ଼ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆହୁରି ୧୫ ଦିନ ପର୍ଯ୍ୟନ୍ତ ନଦୀର ଜଳସ୍ତର ଅଧିକ ରହିବ । ତେଣୁ ନଦୀକୁ ନ ଯିବାକୁ ସତର୍କ ସୂଚନା ଦିଆଯାଇଛି । କାର୍ତ୍ତିକ ମାସର ଶେଷ ସୋମବାରରେ ଏଭଳି ଘଟଣା ଘଟିଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
