
ଫାର୍ମ ହାଉସରୁ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଗଡ଼ତରାସରେ ଥିବା କେବିଏନ୍ ଫାର୍ମ ହାଉସ୍ ଭିତରୁ ଗୁରୁବାର ଜଣେ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପଶ୍ଚିମବଙ୍ଗ ହାୱଡା ଜିଲ୍ଲାର ଶେଖ ମେହବୁବ ଉଦ୍ଦିନ ବୋଲି ଜଣାପଡ଼ିଛି। ସେ ଓ ତାଙ୍କ କକାପୁଅ ଶେଖ ସାପିର ଉଦ୍ଦିନ ଗତ ଅକ୍ଟୋବର ୨ ତାରିଖରୁ ଏହି ଫାର୍ମ ହାଉସରେ କାମ କରୁଥିଲେ।
ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୩ଟା ବେଳେ ସାପିର ଉଦ୍ଦିନଙ୍କ ନିଦ ଭାଙ୍ଗିଥିଲା। ସେ ଉଠି ଦେଖନ୍ତି ତ, ମେହବୁବ ଉଦ୍ଦିନ ଶୋଇଥିବା ସ୍ଥାନରେ ନଥିଲେ। ଖୋଜାଖୋଜି କରିବା ପରେ ଛେଳି ଫାର୍ମ ଭିତରେ ମେହବୁବ ଗାମୁଛାରେ ଝୁଲିପଡ଼ିଥିବା ଦେଖିଥିଲେ। ଏ ବିଷୟରେ ଫାର୍ମ ମାଲିକଙ୍କୁ ଜଣାଇବା ପରେ ସେ ପୁଲିସକୁ ଖବର ଦେଇଥିଲେ। ବନ୍ତଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏହା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମେହବୁବଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

