ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଜନ୍ତାରିବୋଲ ଗାଁ ପାଖ କେନାଲ ନିକଟରେ ଦନ୍ତା ହାତୀର ତାଣ୍ଡବ ଦେଖିବାକୁ ମିଳିଛି। ଦନ୍ତା ହାତୀ ଉତ୍ପାତ ଯୋଗୁଁ ଦୁଇଟି ପରିବାରର ୩ ବଖରା ଘର ସମ୍ପୂର୍ଣ୍ଣ ଭାଙ୍ଗି ଯିବା ସହ ଅଳ୍ପକେ ପରିବାରର ସଦସ୍ୟ ମାନେ ବର୍ତ୍ତି ଯାଇଛନ୍ତି। ତେବେ ବିଳମ୍ବିତ ରାତିରେ ମୁନି ସାହୁ ଏବଂ ଚନ୍ଦ୍ର ମୁଣ୍ଡାଙ୍କ ପରିବାର ଲୋକେ ଘର ଭିତରେ ଶୋଇଥିବା ବେଳେ ଏକ ଦନ୍ତା ହାତୀ ଆସି ଘର ଭାଙ୍ଗିଥିଲା। ଫଳରେ ଦୁଇ ପରିବାର ଜୀବନ ବିକଳରେ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ଭିତରକୁ ପଶି ଯାଇଥିଲେ। ଜୀବନ ବଞ୍ଚାଇବା ପାଇଁ ରାତି ସାରା ଦୁଇ ପରିବାର ଲୋକେ କେନାଲ ଭିତରେ ରହିଥିଲେ। ତେବେ ଦନ୍ତା ଉତ୍ପାତ ଯୋଗୁଁ ଦୁଇ ପରିବାରର ଲୋକମାନେ ସର୍ବସ୍ୱାନ୍ତ ହୋଇ ଯାଇଛନ୍ତି। ତୁରନ୍ତ ସେମାନଙ୍କୁ ସରକାରୀ ସହାୟତା ଯୋଗେଇ ଦେବାକୁ ଦାବି ହୋଇଛି। ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦନ୍ତା ହାତୀଟିକୁ ଅନନ୍ତପୁର ସଂରକ୍ଷିତ ଜଙ୍ଗଲକୁ ଘଉଡ଼ାଇ ଦେଇଛି।
