
ହୀରାକୁଦକୁ ଆଧାର କରି ବଡ଼ ପର୍ଯ୍ୟଟନ ଆୟୋଜନ ସୃଷ୍ଟି ପାଇଁ ଜଳସମ୍ପଦ ବିଭାଗ ଦ୍ୱାରା ଏକ ଶୃଙ୍ଖଳାଗତ ଏନଓସି ଜାରି ହୋଇଛି। ସିଙ୍ଗିଲ ୱିଣ୍ଡୋ ସିଷ୍ଟମ୍ ମାଧ୍ୟମରେ ୨୦ ଜଣ ହୋଟେଲ ବ୍ୟବସାୟୀ ହୀରାକୁଦ ଅଞ୍ଚଳରେ ହୋଟେଲ ଗଠନ ପାଇଁ ଆବେଦନ କରିଥିବାବେଳେ ତାହାକୁ ଅନୁମୋଦନ ମିଳିଛି।
ଡ୍ୟାମ ଅଞ୍ଚଳରେ ପର୍ଯ୍ୟଟନ ଉନ୍ନୟନ ପାଇଁ କ୍ରୁଜ୍ ଚଳାଚଳ, କ୍ରୁଜ୍ ଟର୍ମିନାଲ ନିର୍ମାଣ, ଲେଜର ମ୍ୟୁଜିକ ସୋ, ଆରାଇଭାଲ ପ୍ଲାଜା ଏବଂ ଡ୍ୟାମ୍ ମ୍ୟୁଜିଅମ ପାଇଁ ପର୍ଯ୍ୟଟନ ବିଭାଗକୁ ଜଳ ସମ୍ପଦ ବିଭାଗ ଏନଓସି ଦେଇଛି।
ଝାଙ୍କରାଣୀ ମନ୍ଦିର ପଛପଟ ଅଞ୍ଚଳରେ ଲେଜର ମ୍ୟୁଜିକ ସୋ ପାଇଁ ଜମି ଚିହ୍ନଟ ହୋଇଛି। ରାଇଟ ଡାଇକର ଡାହାଣ ପଟେ ହୋଟେଲ ନିର୍ମାଣ ଅନୁମତି ମିଳିଥିବାବେଳେ ବୁର୍ଲା ଓଏଚପିସି ଏବଂ ବୁର୍ଲା ପାୱାର ହାଉସ ନିକଟରେ ଆରାଇଭାଲ ପ୍ଲାଜା ପାଇଁ ମଧ୍ୟ ପର୍ମିଶନ ଦିଆଯାଇଛି।
ରାଇଟ ଡାଇକ ଡାହାଣ ପାର୍ଶ୍ୱରେ କ୍ରୁଜ୍ ଟର୍ମିନାଲ ନିର୍ମାଣ ପାଇଁ ଅନୁମତି ମିଳିଛି। ଜଳ ଭଣ୍ଡାରରେ ହାଉସବୋଟ ପରିଚାଳନା ପାଇଁ ବିକାଶ ଗ୍ରୁପକୁ ସିଙ୍ଗିଲ ୱିଣ୍ଡୋ କମିଟି ଅନୁମୋଦନ କରିଛି। ବିକାଶ ବେଫ୍ରଣ୍ଟ ରିଟ୍ରିଟ୍ ଫ୍ଲାଇଭେଟ୍ ଲିମିଟେଡକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁମତି ମିଳିଛି।
ୱାଟର ସ୍ପୋର୍ଟ୍ସ ଓ ଜେଟସ୍କି ପାଇଁ ମୁରଲୀ କ୍ରୀଷ୍ଣାଙ୍କ କମ୍ପାନୀ ମଧ୍ୟ ଆବେଦନ କରିଥିଲେ, କିନ୍ତୁ କେବଳ ହାଉସବୋଟ ପରିଚାଳନା ପାଇଁ ମାତ୍ର ଅନୁମତି ମିଳିଛି।
୨୦୨୨ ଟୁରିଜିମ ପଲିସି ଅନୁସାରେ ହାଉସବୋଟ ପ୍ରକଳ୍ପ ପାଇଁ କମ୍ପାନୀକୁ ୩୦ ପ୍ରତିଶତ ସବସିଡି ପ୍ରଦାନ କରିବାକୁ ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେଇଛି।
