
ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜ୍ ଅଞ୍ଚଳରେ ୩୦ ଟିକିଆ ହାତୀପଲଙ୍କ ଉତ୍ପାତ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଗତକାଲି ରାତିରେ ସାନବାଙ୍କି ଗାଁରେ ଏହି ହାତୀପଲ ଜଣେ ମହିଳାଙ୍କୁ ଘରୁ ଟାଣି ଆଣି ଦଳି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ମୃତକ ମହିଳା ଜଣଙ୍କ ହେଉଛନ୍ତି ମନ୍ଦାର ପୁଟେଲ୍। ହାତୀପଲଙ୍କ ଏହି ଆକ୍ରମଣ ପରେ ଅଞ୍ଚଳରେ ଅସନ୍ତୋଷ ଓ ଉତ୍ତେଜନା ଲାଗି ରହିଛି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଛତରଦାଣ୍ଡି ଜଙ୍ଗଲରୁ ଆସିଥିବା ପ୍ରାୟ ୩୦ ଟିକିଆ ହାତୀପଲ ସାନବାଙ୍କି ଗାଁକୁ ପଶି ଆସିଥିଲେ। ଗାଁରେ ଏମାନେ ବ୍ୟାପକ ଭାଙ୍ଗରୁଜା କରିବା ସହ ଲୋକଙ୍କ ଘରଦ୍ୱାର ଭାଙ୍ଗିଥିଲେ। ସେହି ସମୟରେ ସନ୍ୟାନନ୍ଦ ପୁଟେଲ୍ ଏବଂ ତାଙ୍କ ପରିବାର ଘରେ ଶୋଇଥିବା ବେଳେ ହାତୀ ସେମାନଙ୍କ ଘରକୁ ଆକ୍ରମଣ କରିଥିଲା। ହାତୀପଲ ମନ୍ଦାର ପୁଟେଲଙ୍କୁ ଟାଣି ନେଇ ଦଳି ଦେବାରୁ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।
ଏହି ଆକ୍ରମଣରେ ମୃତ ମହିଳାଙ୍କ ଶ୍ୱଶୁର ଓ ସ୍ୱାମୀ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଲୋକେ ବନ ବିଭାଗ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅଞ୍ଚଳବାସୀ ମୃତକଙ୍କ ପରିବାର ପାଇଁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ଏବଂ ଅଞ୍ଚଳରୁ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ବ୍ୟବସ୍ଥା ଦାବି କରି ରାସ୍ତାରୋକୋ କରିଛନ୍ତି।
ବଙ୍ଗୋମୁଣ୍ଡା ରେଞ୍ଜ୍ ଅଧୀନରେ ଥିବା ଏହି ଅଞ୍ଚଳରେ ହାତୀପଲଙ୍କ ବାରମ୍ବାର ଉତ୍ପାତ ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ବର୍ତ୍ତମାନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବନ କର୍ମଚାରୀ ଓ ପୋଲିସ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।
