
ହଷ୍ଟେଲରେ ରାତ୍ରୀ ଭୋଜନ ଖାଇ ୩୫ ଛାତ୍ରଛାତ୍ରୀ ଅସୁସ୍ଥ। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକର ଶିରିବେଡ଼ା ସ୍ଥିତ ପିଏମଶ୍ରୀ ସ୍କୁଲରେ ଅଘଟଣ। ୩୫ ଅନ୍ତେବାସୀ ବୈପାରୀଗୁଡ଼ା ମେଡିକାଲରେ ଭର୍ତ୍ତି। ଅନୁଧ୍ୟାନ ପାଇଁ ହଷ୍ଟେଲରେ ମିଳିତ ଡାକ୍ତରୀ ଟିମ୍। ବୈପାରୀଗୁଡ଼ା ରାମଗିରି ମେଡିକାଲ ଟିମ୍ର ଅନୁଧ୍ୟାନ।
ସୂଚନା ଅନୁଯାୟୀ, ବୈପାରୀଗୁଡ଼ା ବ୍ଲକର ଶିରିବେଡ଼ା ସ୍ଥିତ ପିଏମଶ୍ରୀ ସ୍କୁଲର ହଷ୍ଟେଲ ଅନ୍ତେବାସୀ ରାତ୍ରୀ ଭୋଜନ ପରେ ଶୋଇବାକୁ ଯାଇଥିଲେ। ରାତି ପ୍ରାୟ ସାଢେ ୯ଟା ବେଳେ କିଛି ପିଲା ପେଟ ବ୍ୟଥା ହେଉଥିବା ରୋଷେୟାଙ୍କୁ ଜଣାଇଥିଲେ। କ୍ରମଶଃ ହଷ୍ଟେଲର ଅଧିକାଂଶ ପିଲାଙ୍କ ପେଟ ବ୍ୟଥା ହେଉଥିବା ଜଣାଇବା ପରେ ପ୍ରଧାନ ଶିକ୍ଷକ କୁଳମଣି ଜେନା ତିନୋଟି ଗାଡ଼ିରେ ୩୫ ଜଣ ଅନ୍ତେବାସୀଙ୍କୁ ବୈପାରୀଗୁଡ଼ା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଏବେ ସେମାନଙ୍କର ଚିକିତ୍ସା ଚାଲିଛି। ବୈପାରୀଗୁଡ଼ା ଏବଂ ରାମଗିରି ଡ଼ାକ୍ତରୀ ଦଳ ଶିରିବେଡା ପିଏମଶ୍ରୀ ବିଦ୍ୟାଳୟର ହଷ୍ଟେଲରେ ପହଞ୍ଚି ବାକି ୬ ଜଣ ପିଲାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। ଏସଂପର୍କରେ ଡାକ୍ତରଙ୍କୁ ପଚାରିବାରୁ ପରୀକ୍ଷା ପରେ ହିଁ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି କହିଛନ୍ତି।
