
ବାହାର କାଠ ନିକଟରେ ଯାତ୍ରୀଙ୍କଠାରୁ ଅର୍ଥ ଆଦାୟ କରିବା ଏବଂ ଅର୍ଥ ଆଦାୟକୁ ନେଇ ପରସ୍ପର ମଧ୍ୟରେ ମାର୍ପିଟ ହୋଇଥିଲେ ଦୁଇ ସେବାୟତ । ଗଣ୍ଡଗୋଳ କରି ଶ୍ରୀମନ୍ଦିରର ଶୃଙ୍ଖଳା, ସୁରକ୍ଷା ଓ ଗରିମାକୁ ଆଘାତ କରିଥିଲେ । ତେଣୁ ସୁଆର ବଡୁ ସେବକ ନାରାୟଣ ପଣ୍ଡା ଏବଂ ଖୁଣ୍ଟିଆ ସେବକ ରାଜାରାମ ଖୁଣ୍ଟିଆଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ର ୨୧ (କ) ଧାରା ଅନୁଯାୟୀ ୨ ମାସ ପାଇଁ ନିଲମ୍ବନ କରିଛନ୍ତି । ଗତ ମାସରେ ଘଟିଥିବା ଘଟଣାକୁ ତଦନ୍ତ କରି ମୁଖ୍ୟ ପ୍ରଶାସନ ଏହି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
ସେହିଭଳି ମହାପ୍ରସାଦ ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ପରିସରକୁ ଡାଲ୍ଡା ଘିଅ ଆଣିବାକୁ ପ୍ରରୋଚନା କରିଥିବାରୁ ମହାସୁଆର ସେବକ ବେନା ମହାସୁଆରଙ୍କୁ ମଧ୍ୟ ୨ ମାସ ପାଇଁ ସେବାକାର୍ଯ୍ୟରୁ ନିଲମ୍ବନ କରାଯାଇଛି ।
ନିଲମ୍ବନ ସମୟରେ ସେମାନେ ନିଜେ କିମ୍ବା ଅନ୍ୟ କୌଣସି ସେବାୟତ କିମ୍ବା ବ୍ୟକ୍ତିବିଶେଷଙ୍କ ଦ୍ୱାରା କୌଣସି ପ୍ରକାର ବିଶୃଙ୍ଖଳା କରିବାକୁ ଅପଚେଷ୍ଟା କଲେ ନିଲମ୍ବନ ଅବଧି ବୃଦ୍ଧି ସହ ଆହୁରି କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପରୋକ୍ତ ୩ ସେବକଙ୍କୁ ସ୍ପଷ୍ଟ ଚେତେଇ ଦିଆଯାଇଛି ।
ଶ୍ରୀମନ୍ଦିର ପରିସରରେ ମହାପ୍ରଭୁଙ୍କ ନୀତିକାନ୍ତି, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନରେ କୌଣସି ପ୍ରକାର ବାଧକ ସାଜିଲେ, ସମ୍ପୃକ୍ତ ସେବାୟତ କିମ୍ବା ଅନ୍ୟ ବ୍ୟକ୍ତିବିଶେଷଙ୍କୁ ଛଡ଼ାଯିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ପ୍ରେସ୍ ବାର୍ତ୍ତାରେ ଜଣାଇଛନ୍ତି । ଏଥିସହ ଶ୍ରୀମନ୍ଦିରରେ ଶୃଙ୍ଖଳା ଏବଂ ଗରିମା ରକ୍ଷା ପାଇଁ ମଧ୍ୟ ସେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।
