ଓଡ଼ିଶାର ଜଣାଶୁଣା ହାସ୍ୟ ଅଭିନେତା ତଥା ୟୁଟ୍ୟୁବର ଗୁଲୁଆଙ୍କୁ (Gulua) ହତ୍ୟା ଧମକ ମିଳିଥିବା ନେଇ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, ଦୁର୍ବୃତ୍ତମାନେ ତାଙ୍କୁ ୫୦ ଲକ୍ଷ ଟଙ୍କା ଦାବି କରିବା ସହ ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଚେତାବନୀ ଦେଇଛନ୍ତି। କେବଳ ସେତିକି ନୁହେଁ, ସୋସିଆଲ ମିଡିଆରେ ତାଙ୍କୁ ବଦନାମ କରିବା, ମାଡ଼ ମାରିବା ଏବଂ ମିଛ କେସରେ ଫସାଇ ଦେବା ପାଇଁ ମଧ୍ୟ ଧମକ ଦିଆଯାଇଛି। ଏହି ଘଟଣାକୁ ନେଇ ଗୁଲୁଆ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି ଏବଂ ସୁରକ୍ଷା ପାଇଁ ବାଲିଅନ୍ତା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।
ସୋସିଆଲ ମିଡିଆରେ ନିଜର ଦୁଃଖ ପ୍ରକାଶ କରି ଗୁଲୁଆ ଲେଖିଛନ୍ତି ଯେ, ଏହି ଧମକ ପରେ ସେ ଗତ ତିନି ଦିନ ହେବ ଠିକ ଭାବେ ଖାଇପାରୁ ନାହାନ୍ତି ଏବଂ ନିଜ ଜୀବନ ବଞ୍ଚାଇବା ପାଇଁ ଲୁଚି ଲୁଚି ବିଭିନ୍ନ ସ୍ଥାନକୁ ଯାଉଛନ୍ତି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି।
ଅନ୍ୟପଟେ, ଏହି ବିବାଦ ମଧ୍ୟରେ ଗୁଲୁଆଙ୍କ ସ୍ତ୍ରୀ ବର୍ଷାଙ୍କ କିଛି ଇନଷ୍ଟାଗ୍ରାମ ପୋଷ୍ଟ ଚର୍ଚ୍ଚାକୁ ଦ୍ୱିଗୁଣିତ କରିଛି। ବର୍ଷା ନିଜ ପୋଷ୍ଟରେ ଜଣେ ‘ମହାନ କଳାକାର’ଙ୍କ ଅସଲ ଚେହେରା ବା କଳାକାରନାମା ପର୍ଦ୍ଦାଫାସ କରିବେ ବୋଲି ଉଲ୍ଲେଖ କରିଛନ୍ତି। ଗୁଲୁଆଙ୍କୁ ମିଳିଥିବା ଧମକ ଏବଂ ବର୍ଷାଙ୍କ ଏହି ରହସ୍ୟମୟ ପୋଷ୍ଟ ମଧ୍ୟରେ କୌଣସି ସମ୍ପର୍କ ଅଛି କି ନାହିଁ, ସେ ନେଇ ଏବେ ସାଧାରଣରେ ନାନା ଚର୍ଚ୍ଚା ଜାରି ରହିଛି। ପୋଲିସ ଏହି ମାମଲାର ତଦନ୍ତ କରୁଥିବା ବେଳେ ପ୍ରକୃତ ସତ୍ୟାସତ୍ୟ ଖୁବଶୀଘ୍ର ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
