
ସାଉଦି ଆରବର ସରକାରୀ ଖଣି କମ୍ପାନି ମାଦେନ୍ ଦାବି କରିଛି, ରାଜ୍ୟର ୪ ଭିନ୍ନ ଭିନ୍ନ ସ୍ଥାନରେ ଏହା ସୁନାର ବଡ଼ ଖଣି ଠାବ କରିଛି । ଏହି ଆବିଷ୍କାର ପରେ ସାଉଦି ଆରବର ସୁନା ଭଣ୍ଡାରରେ ପ୍ରାୟ ୨.୨୧ ଲକ୍ଷ କିଲୋ ସୁନା ଯୋଡ଼ି ହୋଇଛି । ଆଧୁନିକ ଖନନ ଇତିହାସରେ ଏହା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବଡ଼ ସ୍ରୋତ । ଗତ ୧୨ ତାରିଖରେ ଏହି ଆବିଷ୍କାର ବିଷୟରେ ମାଦେନ୍ ସୂଚନା ଦେଇ କହିଥିଲା, ଏହି ଖନନ କାର୍ଯ୍ୟକ୍ରମ ଗୋଟିଏ କ୍ଷେତ୍ରାଧିକାର ମଧ୍ୟରେ ପରିଚାଳିତ ଅନ୍ୟତମ ସର୍ବବୃହତ ଖନନ ପ୍ରୟାସ ଥିଲା । କମ୍ପାନି ଅନୁସାରେ, ସୁନା ଖଣି ମକ୍କା ଓ ରିୟାଦ ଆଖପାଖ ଅଞ୍ଚଳରେ ମିଳିଛି ।
ୱାଦୀ ଅଲ୍ ଜାରେ ସବୁଠୁ ବଡ଼ ସୁନା ଭଣ୍ଡାର ମିଳିଛି, ଯାହା ପ୍ରାୟ ୧ ଲକ୍ଷ ୭ ହଜାର ୭୨୮ କିଲୋ । ମଂସୁରାୟ ମସରାରାରେ ସ୍ଥିତ ଖଣି ନିକଟରେ ୮୫ ହଜାର ୪୮ କିଲୋ ସୁନା ମିଳିଛି । ଉରୁକ ଓ ଉମ୍ମ ଅଲ୍ ସଲାମ୍, ଏହି ଦୁଇ ସ୍ଥାନରେ ପ୍ରାୟ ୪୭ ହଜାର ୩୪୩ କିଲୋ ସୁନା ମିଳିଛି । ଅନ୍ୱେଷଣ ସମୟରେ ଯେଉଁ ନମୁନା ମିଳିଛି, ସେଥିରେ ସୁନାର ମାତ୍ରା ବହୁତ ଅଧିକ । ୧ ଟନ୍ ପଥର/ମାଟିରେ ୧୦ରୁ ୨୦ ଗ୍ରାମ୍ ସୁନା ମିଳୁଛି । ଅନ୍ତର୍ଜାତୀୟ ବଜାରରେ ଏହି ନୂଆ ଭଣ୍ଡାରର ମୂଲ୍ୟ ଅରବ ଡଲାର ଆକଳନ କରାଯାଉଛି । ସାଉଦି ସରକାର ଭିଜନ୍-୨୦୩୦ ଅନ୍ତର୍ଗତ ତୈଳ ଉପରେ ନିର୍ଭରଶୀଳତାକୁ ହଟାଇ ଖନନ ଦିଗରେ ବଢ଼ାଇବାକୁ ଚାହୁଁଛନ୍ତି । ମଦେନ୍ ଅନୁସାରେ, ଏହା ଆରମ୍ଭ ମାତ୍ର । ଖନନ ଏବେ ବି ଜାରି ରହିଛି ଏବଂ ଆହୁରି ଅଧିକ ସୁନା ଭଣ୍ଡାର ମିଳିବାର ଆଶା ରହିଛି ।
