
ଛାଡ଼ଖାଇ ପାଇଁ ବାର୍ହାଶିକାର କରି ମାଂସ କାଟୁଥିବା ବେଳେ ମାଡ଼ିବସିଲା ବନବିଭାଗ। କଟା ମାଂସ, ଅସ୍ତ୍ରଶସ୍ତ୍ର ସହ ୨ ଜଣଙ୍କୁ ଗିରଫ କଲା ବନବିଭାଗ।
ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ମଧପୁର ରେଞ୍ଜ ଅନ୍ତର୍ଗତ ରାଣୀଗଞ୍ଜ ନିକଟସ୍ଥ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ ନିକଟରେ ଗୁରୁବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଦୁଇଜଣ ଶିକାରୀ ଏକ ବାର୍ହା ଶିକାର କରିବା ସହ ମାଂସକୁ ଜଙ୍ଗଲ ମଧ୍ୟରେ କାଟୁଥିଲେ। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମାଧପୁର ରେଞ୍ଜ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରିଥିଲା। ୩୪ କେଜି କଟା ବାର୍ହା ମାଂସ ସହ ଦୁଇଟି ଟାଙ୍ଗିଆ ଓ ଦୁଇଟି କଟୁରି ଜବତ କରିଥିବା ବେଳେ ଦୁଇଜଣ ଶିକାରୀଙ୍କୁ ଗିରଫ କରିଥିଲା ବନବିଭାଗ । ଦୁଇଜଣ ଶିକାରୀ ହେଲେ କପିନ୍ଦ୍ର ମାଝୀ ଓ ସତ୍ୟ ବେହେରା । ଉଭୟ ପୁରୁଣାକଟକ ଥାନା ରାଣୀଗଞ୍ଜ ଗ୍ରାମର ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।
ମାଂସକୁ ପୋଷ୍ଟମର୍ଟମ ପରେ ପୋତାଯାଇଥିବା ଜଣାପଡିଛି। ବନବିଭାଗ ପକ୍ଷରୁ କେସ ନମ୍ବର ୭୨/୨୫-୨୬ରେ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ମାଧପୁର ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି।
