
ନେପାଳର ମକୱାନପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘାଇକୁ ଖସିଲା ଜିପ୍ । ଫଳରେ ଦୁଇ ଜଣ ଭାରତୀୟଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଗମତୀ ପ୍ରଦେଶର ମକୱାନପୁର ଜିଲ୍ଲାରେ ଏକ ଜିପ୍ ପାହାଡିଆ ରାସ୍ତାରୁ ୧୦୦ ମିଟର ତଳକୁ ଖସି ପଡ଼ିଥିଲା। ଏହି ଘଟଣାରେ ଦୁଇ ଭାରତୀୟ ନାଗରିକଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜିପ୍ ଏବଂ ମୃତକଙ୍କ ମୃତଦେହ ଉଦ୍ଧାର କରିଛି। ଘଟଣାଟି ଶନିବାର ରାତିରେ ଘଟିଥିବା ଜଣାପଡ଼ିଛି। ଘଟଣା ସମୟରେ ଜିପ୍ରେ ପ୍ରାୟ ନଅ ଜଣ ଥିଲେ। ପୁଲିସ କହିଛି ଯେ, ଦୁର୍ଘଟଣା ସମୟରେ ଗାଡିଟି କାଠମାଣ୍ଡୁରୁ ହେଟାଉଡା ଅଭିମୁଖେ ଯାତ୍ରା କରୁଥିଲା। ମୃତକଙ୍କ ମଧ୍ୟରୁ ଚାରି ଜଣଙ୍କୁ ଚିହ୍ନଟ କରାଯାଇଛି, ସେମାନଙ୍କ ମଧ୍ୟରୁ ଦୁଇଜଣ ଭାରତୀୟ ନାଗରିକ। ବିହାରର ମୂଳ ବାସିନ୍ଦା ଭାରତୀୟ ନାଗରିକଙ୍କ ନାମ ରଜନୀଶ କୁମାର ଏବଂ ଅରବିନ୍ଦ କୁମାର ବୋଲି ଚିହ୍ନଟ କରାଯାଇଛି। ସେମାନେ କାମ ପାଇଁ ନେପାଳ ଯାତ୍ରା କରୁଥିବା ଜଣାପଡିଛି। ନେପାଳ ପୁଲିସ ସେମାନଙ୍କ ପରିବାରକୁ ସୂଚନା ଦେଇଛି। ପୁଲିସ ଅନୁସାରେ, ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।
