
ମଧ୍ୟାହ୍ନଭୋଜନରେ ଅଣ୍ଡା ଖାଉ ନ ଥିବା ପିଲାଙ୍କୁ ଫଳ ଦିଆଯିବ। ପିଏମ୍ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଯେଉଁ ପିଲାମାନେ ବିଦ୍ୟାଳୟରେ ଅଣ୍ଡା ଖାଉନାହାନ୍ତି କିମ୍ବା ନିରାମିଷ ଖାଉଥିବା ପିଲାଙ୍କୁ ଅଣ୍ଡା ମୂଲରେ ଫଳ ଖାଇବାକୁ ଦିଆଯିବ। ଏନେଇ ପୁଣି ଥରେ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ପିଏମ୍ ପୋଷଣ ଷ୍ଟେଟ୍ ନୋଡାଲ ଅଫିସର ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ସପ୍ତାହକୁ ୩ ଥର ଅର୍ଥାତ୍ ଅଣ୍ଡା ଦିଆଯାଉଥିବା ଦିନ ଫଳ ଦିଆଯିବ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସାଧାରଣ ସମସ୍ୟାକୁ ଏଡାଇବାକୁ ପଡ଼ିବ। ସେଥିପାଇଁ ଚିଠିରେ ଦିଆଯାଇଥିବା ନିର୍ଦ୍ଦେଶକୁ ପାଳନ କରିବାକୁ କୁହାଯାଇଛି।
ରାଜ୍ୟ ସମସ୍ତ ଶିଶୁବାଟିକାଠାରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ଏହି ସୁବିଧା ମିଳିବ। ରାଜ୍ୟରେ ସ୍କୁଲ ପିଲାଙ୍କୁ କୁପୋଷଣଠାରୁ ଦୂରେଇ ରଖି ସେମାନଙ୍କୁ ଉପଯୁକ୍ତ ପୋଷଣ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସ୍କୁଲକୁ ପିଲାମାନେ ଆସୁ ନ ଥିବାରୁ ମଧ୍ୟାହ୍ନ ଭୋଜନ ମାଧ୍ୟମରେ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଖାଦ୍ୟ ସାରଣୀ ମଧ୍ୟାହ୍ନ ଭୋଜନରେ ଅନ୍ତର୍ଭୁକ୍ତ କରାଯାଇଥିଲା। ମଧ୍ୟାହ୍ନ ଭୋଜନରେ ଆମିଷ ଖାଉ ନ ଥିବା ପିଲାଙ୍କ ପାଇଁ ଅଣ୍ଡା ବଦଳରେ ଫଳ ଦେବାକୁ ରାଜ୍ୟ ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିବାବେଳେ ଏହା ଯେପରି ଶତପ୍ରତିଶତ କାର୍ଯ୍ୟକାରୀ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି।

