Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମଣିଷ ସହ ଫୁଲର ସମ୍ପର୍କ ଯୁଗ ଯୁଗର …

Posted on November 13, 2025

ମଣିଷ ସମାଜ ଭିତରେ ଏମିତି କେହି ଜଣେ ନଥିବେ, ଯିଏ ଫୁଲକୁ ଭଲ ପାଉନଥିବେ! ମଣିଷ ସହ ଫୁଲର ସମ୍ପର୍କ ଯୁଗ ଯୁଗର। କାହିଁ କେଉଁ ଆବହମାନ କାଳରୁ ମଣିଷ ଫୁଲକୁ ଭଲ ପାଇ ବସିଛି। ଆମ ପୂଜାପାର୍ବଣରେ ଫୁଲ, ଆମ କବିତାରେ ଫୁଲ, ଆମ ସାଜସଜ୍ଜାରେ ଫୁଲ। ଏମିତି ହିସାବ କରିବସିଲେ, ଆମ ନିତିଦିନିଆ ଜୀବନରେ ଫୁଲ ଏକ ସ୍ବତନ୍ତ୍ର ଆସନ ଦଖଲ କରିଛି। ଫୁଲକୁ ନେଇ ଆମ କବିମାନେ ତ ଶହଶହ କବିତା ଲେଖିଛନ୍ତି। କବିର କବିତାରେ ପ୍ରେୟସୀ ନାୟିକା ନିଜେ ଫୁଲ ହୋଇ ପ୍ରେମିକର ଅଗଣାରେ ଫୁଟିବାକୁ ମନ ବଳାଇଛି। ନାୟିକାର ଗଭା, ବିନା ଫୁଲରେ ସୁନ୍ଦର ଦେଖାଯାଏ ନାହିଁ। ତେଣୁ ଆମ ପ୍ରେମରେ ରହିଛି ଫୁଲ, ଆମ ପୂଜାରେ ବି ଅଛି ଫୁଲ। ପୁଣି ମଜାର କଥା ହେଉଛି, କଳା ଭଅଁର ଦେଖିବାକୁ ସୁନ୍ଦର ନୁହେଁ, କିନ୍ତୁ ଫୁଲ ଲାଗି ତାକୁ ବି କବିତାରେ ସ୍ବତନ୍ତ୍ର ଜାଗା ଦେଇଆସିଛନ୍ତି କବି।


ଫୁଲ ସବୁ ଋତୁରେ ଫୁଟେ। ଏମିତି କୋଉ ଋତୁ ନାହିଁ, ଯେତେବେଳେ ଫୁଲ ଫୁଟେ ନାହିଁ! ନିଦାଘ ଖରାରେ ବି ଫୁଲ ଫୁଟେ। କିନ୍ତୁ ଭାରତ ଭଳି ଗ୍ରୀଷ୍ମପ୍ରଧାନ ଦେଶରେ ଶୀତଋତୁ ଆସିଲେ, ରାଶି ରାଶି ଫୁଲର ସମ୍ଭାର ଦେଖିବାକୁ ମିଳେ। ଫୁଲଗଛ ଲଗାଇବାକୁ ସମସ୍ତେ ମନବଳାନ୍ତି। କୁଡ଼ିଆଟିଏ ହେଉ ପଛେ ଅଗଣାରେ ଫୁଲ ଗଛଟିଏ ଲଗାଇବାକୁ ସମସ୍ତେ ଭଲ ପାଆନ୍ତି। ସହରୀ ଘରେ ଜାଗା ଅଭାବ। ତେଣୁ ବାରଣ୍ଡାରେ କିମ୍ବା ଛାତ ଉପରେ ଫୁଲକୁଣ୍ଡ ଦେଖିବାକୁ ମିଳେ। ଏବେ ରାଜଧାନୀ ଭୁବନେଶ୍ବରକୁ ଶୀତର ପହିଲି ଛୁଆଁ ପୁଲକିତ କରିଛି। ମୌସୁମୀ ଫେରିଯାଇଛି। ଆଉ ବର୍ଷା ହେବନି। ତେଣୁ ସହରବାସୀଙ୍କ ଫୁଲ ପ୍ରେମ ବଢ଼ିଛି। ନିଜ ଘରକୁ ମନ ପସନ୍ଦର ଫୁଲ ଗଛରେ ସଜାଇବାକୁ ରାଜଧାନିଆମାନେ ବଜାରରେ ଭିଡ଼ ଜମାଇଲେଣି। ସମୟ ବଦଳିଛି। ଆମ ବଜାରରେ ମିଳିଲାଣି ନାନା ରଙ୍ଗର ଭଳିକି ଭଳି ବିଦେଶୀ ବା ବାହାର ରାଇଜର ଫୁଲ। ବ୍ୟବସାୟୀମାନେ ବି ଦେଶୀ ବିଦେଶୀ ଫୁଲଚାରା ଗଦେଇଦେଲେଣି। ଦେଶୀ ଚାରା ଅପେକ୍ଷା ବିଦେଶୀ ଚାରାରେ ଅଧିକ ଫୁଟୁଥିବାରୁ, ସେସବୁ ଚାରାର ଚାହିଦା ବେଶି। ଅଧିକାଂଶ ଚାରା ବ୍ୟବସାୟୀ ଏବେ ବିଦେଶୀ ଫୁଲଚାରାକୁ ବଜାରକୁ ଆଣୁଛନ୍ତି। ଦୁଇ ନମ୍ବର ହାଟର ରାସ୍ତାକଡ଼ରେ ଅନେକ ବ୍ୟବସାୟୀ ଚାରା ପସରା ମେଲାଇ ବସିଛନ୍ତି। ବ୍ୟବସାୟୀଙ୍କ ପାଖରେ ପ୍ରାୟ ୭୬ ପ୍ରକାରର ଚାରା ମିଳୁଛି। ତା’ ଭିତରୁ ଥାଇଲ୍ୟାଣ୍ଡର ପିସ୍‌ ଲିଲି, ସାଇକ୍ରୋମ୍ୟାନ୍‌, ଅର୍କିଡ୍‌, ଜିନିଆ, ପ୍ଲାଟିକୋଟନ୍‌, ଜର୍‌ବେରା, ଖାଲାଲିଲି, ଗେଣ୍ଡୁ, ବାଙ୍ଗାଲୋର ମନ୍ଦାର, ପୁନେ ମନ୍ଦାର, ଶ୍ରୀଲଙ୍କା ଓ ଭୁଟାନ ଟଗର ପ୍ରଭୃତିର ଚାହିଦା ରହିଛି। ସେବତୀ, ଡାଲିଆ, ଡ୍ୟାନ୍ଥସ୍, ପିଟୁନିଆ, ଚେରି ଗୋଲ୍ଡ୍ ଅଷ୍ଟ୍ରିଆ, ସାଲ୍‌ଭିଆ, ମିନି ଡାଲିଆ ପ୍ରଭୃତି ଚାରା ବେଶି ବିକ୍ରି ହେଉଛି।


ଗୋଟିଏ ଋତୁ କିମ୍ବା ବର୍ଷକ ଯାଏ ବଞ୍ଚୁଥିବା ଫୁଲଚାରାର ଚାହିଦା ଅଧିକ। ଗେଣ୍ଡୁ ଜାତୀୟ ସାଧାରଣ ଫୁଲକୁ ବାଦ୍‌ଦେଲେ ଅନ୍ୟ ଛୋଟଚାରାର ଦର ହାରାହାରି ମୂଲ୍ୟ ୨୦ ଟଙ୍କା ରହିଛି। ମାଟିପାତ୍ରରେ ଗଛ ହୋଇ ଫୁଲ ଫୁଟିଥିଲେ, ତାହାର ମୂଲ୍ୟ ସାଇଜ୍‌ ଅନୁଯାୟୀ ୩୦ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଗଛଗୁଡ଼ିକ ବଡ଼ ହୋଇଥିଲେ ଦର ୫୦ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ରହିଛି। ଚାରା ତଳିର ମୂଲ୍ୟ କିନ୍ତୁ କମ୍‌। ୧୦ଟି ଗେଣ୍ଡୁଚାରାକୁ ୨୦ ଟଙ୍କା ରହିଛି। ସର୍ବନିମ୍ନ ଚାରା ତଳିର ମୂଲ୍ୟ ୨୦ ଟଙ୍କା ରହିଥିବା ବେଳେ ଅନ୍ୟଗୁଡ଼ିକ ସାମାନ୍ୟ ଅଧିକ।
ଚାରାଗୁଡ଼ିକୁ ଲଗାଇବା ଲାଗି ପାଇଁ ବିଭିନ୍ନ ଡିଜାଇନ୍‌ର ପ୍ଲାଷ୍ଟିକ୍ କୁଣ୍ଡ ମଧ୍ୟ ଏଠାରେ ବିକ୍ରି ହେଉଛି। ସିମେଣ୍ଟ, ପ୍ଲାଷ୍ଟିକ୍‌ ସହ ଟେରାକୋଟା କୁଣ୍ଡ ମଧ୍ୟ ମିଳୁଛି। ଦୁଇ ନମ୍ବର ହାଟ ବ୍ୟତୀତ ଏକ ନମ୍ବର ହାଟ, ସିଆର୍‌ପି ଛକ, ପଟିଆ, କଳ୍ପନା ଆଦି ପ୍ରମୁଖ ସ୍ଥାନରେ ମଧ୍ୟ ଫୁଲଚାରାର ପସରା ମେଲିଛି। କେତେକ ସ୍ଥାନରେ ନର୍ସରି ମଧ୍ୟ ଗଢ଼ି ଉଠିଛି। ଫୁଲଚାରା ପ୍ରସ୍ତୁତି ଓ ବିକ୍ରି ଏକ ଲାଭଜନକ ବ୍ୟବସାୟ ହୋଇଥିବାରୁ ନିଜ ଜାଗାରେ ଅନେକ ଲୋକ ଏହା କରୁଛନ୍ତି। କିଛି ବଙ୍ଗୀୟ ବ୍ୟବସାୟୀ ଟ୍ରଲିରେ ଗଳିକନ୍ଦି ବୁଲି ଚାରା ବିକୁଛନ୍ତି। ବଜାର ଅପେକ୍ଷା ସେମାନଙ୍କ ପାଖରେ ଦାମ୍‌ ଟିକିଏ ଅଧିକ ରହୁଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme