
ଦୀପାବଳି ଛୁଟି ପାଇଁ ଘରକୁ ଆସିଥିବା ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ମିଶନର ସିଷ୍ଟମ୍ ଇଞ୍ଜିନିୟର ଆକାଶଦୀପ ଗୁପ୍ତାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ୩୦ ବର୍ଷୀୟ ଆକାଶଦୀପ ଦିଲ୍ଲୀର ଡିଆରଡିଓରେ କାମ କରୁଥିଲେ ଏବଂ ପତ୍ନୀ ଭାରତୀଙ୍କ ସହ ଲକ୍ଷ୍ନୌର ଆଲମବାଗ ଘରେ ରହୁଥିଲେ ।
ଗତ ମଙ୍ଗଳବାର ରାତିରେ ପରିବାର ସହିତ ଭୋଜନ କରିବା ପରେ ସେ ବାଥରୁମକୁ ଯାଇଥିଲେ। ହଠାତ୍ ବାଥରୁମ ଭିତରୁ ପଡ଼ିବାର ଶବ୍ଦ ଶୁଣି ପରିବାର ଭିତରକୁ ଯାଇ ତାଙ୍କୁ ଅସ୍ତଚେତନ ଅବସ୍ଥାରେ ଦେଖିଥିଲେ। ତୁରନ୍ତ ପରିବାରଲୋକେ ହସ୍ପିଟାଲକୁ ନେଇଥିଲେ , ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୋଲିସ ମୃତ୍ୟୁକୁ ସନ୍ଦେହଜନକ ବୋଲି ବିବେଚନା କରୁଛି। ପ୍ରାଥମିକ ଅନୁମାନ ଅନୁସାରେ ହୃଦଘାତ ହୋଇପାରେ, କିନ୍ତୁ ପୋଷ୍ଟମର୍ଟମରେ ସ୍ପଷ୍ଟ କାରଣ ଜଣାପଡ଼ିନି। ଭିସେରା ପରୀକ୍ଷା ପାଇଁ ସଂରକ୍ଷିତ ରଖାଯାଇଛି।
ଆକାଶଦୀପ ଗତ ଏପ୍ରିଲରେ ଭାରତୀଙ୍କ ସହ ବିବାହ କରିଥିଲେ ଓ ସାତ ବର୍ଷ ଧରି ବ୍ରହ୍ମୋସ୍ ମିଶନ ସହ ଜଡିତ ଥିଲେ। ତାଙ୍କ ବାପା କୁଲଦୀପ ଗୁପ୍ତା ଦୁଇ ମାସ ହେଲା ହୋମଗାର୍ଡ ବିଭାଗରୁ ଅବସର ନେଇଛନ୍ତି।

