
ବେଆଇନ ବାଲି ପରିବହନ ବେଳେ ମହାନଦୀ ବାଲିଘାଟରୁ ୭ ଟ୍ରାକ୍ଟର ଜବତ। ମଙ୍ଗଳବାର ସକାଳ ୮ଟାରେ ବୌଦ୍ଧ ବ୍ଲକ ତାଳସରଡ଼ା ଗ୍ରାମପଞ୍ଚାୟତ ଡମ୍ବରୁଗଡ ନିକଟ ମହାନଦୀ ବାଲିଘାଟରୁ ଏହି ସବୁ ଟ୍ରାକ୍ଟର ଜବତ ହୋଇଛି।
ସୂଚନାନୁଯାୟୀ, ଡମ୍ବରୁଗଡ ନିକଟ ମହାନଦୀ ବାଲିଘାଟ ନିଲାମ ହୋଇନଥିବା ବେଳେ ଟ୍ରାକ୍ଟର ଯୋଗେ ବେଆଇନ ବାଲି ଚାଲାଣ ହେଉଥିଲା। ଏନେଇ ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ମଙ୍ଗଳବାର ସକାଳ ୮ଟାରେ ବୌଦ୍ଧ ପୁଲିସ ଓ ପ୍ରଶାସନ ମିଳିତ ଭାବେ ଚଢାଉ କରିଥିଲା। ବାଲି ଚୋରା ଚାଲାଣ କରୁଥିବା ୭ଟି ଟ୍ରାକ୍ଟର ଜବତ କରାଯାଇଥିଲା। ବାଉଁଶୁଣୀ ପୁଲିସ ସମସ୍ତ ବାଲି ବୋଝେଇ ଟ୍ରାକ୍ଟର ସହ ଗାଡି ଚାଳକମାନଙ୍କୁ ଅଟକ ରଖିଛି। ଗାଡି ମାଲିକମାନେ ପହଞ୍ଚିବା ପରେ ଖଣି ବିଭାଗ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
