
ମୋନ୍ଥା ପ୍ରଭାବରେ ପ୍ରବଳ ବର୍ଷା ହେବ। ଏଥିପାଇଁ ଅଙ୍ଗନବାଡ଼ି, ସ୍କୁଲକୁ ଛୁଟି କରାଗଲା । ଭୁବନେଶ୍ୱରକୁ ୟେଲୋ ଜୋନ ଭାବେ ଘୋଷଣା କଲା ପାଣିପାଗ ବିଭାଗ । ଏସବୁ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ବିଏମ୍ସି ସବୁ ପ୍ରସ୍ତୁତି କଲା । ତଳିଆ ଅଞ୍ଚଳରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନେବାକୁ ଜଗି ବସିଲେ । ହେଲେ ମୋନଥା ପ୍ରଭାବ ଫୁସ୍କି ଗଲା । ରାଜଧାନୀରେ ମାତ୍ର ୧୭ ମିମି ବର୍ଷା ହେଲା । ପ୍ରସ୍ତୁତି ଜୋରଦାର ଥିଲା, ହେଲେ ବର୍ଷା ସେମିତି ହେଲାନି ।
ଭୁବନେଶ୍ୱରରେ ସୋମବାର ରାତିରୁ ବର୍ଷା ଆରମ୍ଭ ହୋଇଥିଲା । ସକାଳୁ ଭୁବନେଶ୍ୱର ଉପକଣ୍ଠ ସମେତ କିଛି ସ୍ଥାନରେ ବର୍ଷା ହୋଇଥିଲା । ଲୋକେ ଭାବିନେଲେ ମୋନଥାର ପ୍ରକୋପ ଆହୁରି ବଢ଼ିବ । ଲ୍ୟାଣ୍ଡଫଲ୍ ହେବାକୁ ଯେତିକି ପାଖେଇବ, ବର୍ଷାର ପରିମାଣ ସେହି ଅନୁପାତରେ ବଢ଼ିବ । ମାତ୍ର ପ୍ରାୟ ୧୨ଟା ବେଳକୁ ବର୍ଷାର ପରିମାଣ କମିଗଲା । ପାଗ କୋହଲା ରହିଥିଲା । ବିଏମ୍ସିରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ବର୍ଷା କମ ଥିବା ବେଳେ ମାତ୍ର ହାତଗଣତି କିଛି ସ୍ଥାନରେ ଅଳ୍ପ ପାଣି ଜମିଥିଲା । ଏହି ସବୁ ସ୍ଥାନରେ ବିଏମ୍ସି ପମ୍ପ ଲଗାଇ ଜଳ ନିଷ୍କାସନ କରିଥିଲା । ତେବେ ରାତି ପର୍ଯ୍ୟନ୍ତ ବର୍ଷାର ପରିମାଣ କମ୍ ରହିଥିବାରୁ ଜଳବନ୍ଦୀ ପରିସ୍ଥିତି ଉପୁଜିନି । ବାତ୍ୟା ମୋନ୍ଥାକୁ ଆଖି ଆଗରେ ରଖି ବିଏମ୍ସି ପକ୍ଷରୁ ଜୋରଦାର ପ୍ରସ୍ତୁତ କରିଯାଇଛି । ବିଏମ୍ସି ପକ୍ଷରୁ ୫୬ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଥିଲା । ଅଧିକାରୀ ମାନେ ରାତିରେ ସ୍ଥାନାନ୍ତରଣ କରିବାକୁ ପ୍ରସ୍ତୁତ ରହିଥିଲେ । ହେଲେ ବର୍ଷା ନଥିବାରୁ ସ୍ଥାନାନ୍ତରଣ ହୋଇନଥିଲା । ମାତ୍ର ଗୋଟିଏ ଯୋଡିଏ ଜାଗାରେ ରନ୍ଧାଖାଦ୍ୟ ଦିଆଯାଇଛି । ବର୍ଷା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତ କରାଯାଇଛି । ପାଣି ନିଷ୍କାସନ ସହ ଗଛ କାଟିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେହିପରି ୱାଟ୍କୋ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ପାଣି ଟାଙ୍କି ପ୍ରସ୍ତୁତ ରଖାଯାଇଥିଲା । ବାତ୍ୟା ହେବ ବୋଲି ସକାଳୁ ହାଟ ବଜାରରେ ସମ୍ପୂର୍ଣ୍ଣ ଭାବେ ଖାଁ ଖାଁ ରହିଥିଲା । ୟୁନିଟ୍-୨ ମାର୍କେଟ ବିଲ୍ଡିଂ ଅଞ୍ଚଳରେ ମଧ୍ୟ ଦୋକାନ ବନ୍ଦ ରହିଥିଲା । ଅପରାହ୍ନରେ କିଛି ଦୋକାନ ଖୋଲିଥିଲା ।
