
ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗୋହିପିଟା ବନ୍ଧ ନିକଟରେ ଅଭାବନୀୟ ଘଟଣା। ମୁଣ୍ଡରେ ଗୁରୁତର କ୍ଷତାକ୍ତ ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ମୃତକ ଜଣକ ମନମୁଣ୍ଡା ଥାନା ଦମାମୁଣ୍ଡା ଗ୍ରାମର ଭୂଷଣ ପ୍ରଧାନଙ୍କ ପୁଅ କୈବଲ୍ୟ ପ୍ରଧାନ ବୋଲି ଜଣାପଡିଛି। ମୃତକଙ୍କ ବାଇକ ଓ ମୋବାଇଲ ଲୁଟ୍ ସହ ତାକୁ ହତ୍ୟା କରାଯାଇଥିବା ମୃତକର ଭାଇ ଘୂଣ୍ଡୁ ପ୍ରଧାନ ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ , ମୃତ ଭୂଷଣ ବୁକୁରାମୁଣ୍ଡା – ଜୟଦପୁର ମଧ୍ୟରେ ଥିବା ଜଣେ ଠିକାଦାରଙ୍କ କ୍ୟାମ୍ପରେ ପାଚକ କାମ କରୁଥିଲା। ଶନିବାର ରାତ୍ର ପ୍ରାୟ ୯ଟା ୩୦ ମିନିଟରେ ସେ କାମ ସାରି ବାଇକ ଯୋଗେ ଘର ଅଭିମୁଖେ ଯାଇଥିଲା। କିନ୍ତୁ ସେ ରାତ୍ରିରେ ଘରକୁ ଫେରି ନ ଥିଲା। ଏନେଇ ପରିବାର ବହୁ ଖୋଜାଖୋଜି କରିଥିଲେ। ହେଲେ ଆଜି ସକାଳୁ ଗୁହିପିଟା ବନ୍ଧ ନିକଟରେ ଜଣେ ବ୍ୟକ୍ତି କ୍ଷତାକ୍ତ ଅବସ୍ଥାରେ ମରି ପଡ଼ିଥିବା ଆଜି ଲୋକମାନଙ୍କ ଠାରୁ ପରିବାରବର୍ଗ ଜାଣିବାକୁ ପାଇଥିଲେ। ସେମାନେ ଘଟଣାସ୍ଥଳକୁ ଯାଇ ଦେଖିବାରେ ଉକ୍ତ ମୃତକ କୈବଲ୍ୟ ପ୍ରଧାନ ବୋଲି ଜାଣିଥିଲେ। ତେବେ ମୃତ କୈବଲ୍ୟର ମୁଣ୍ଡରେ ଗୁରୁତର କ୍ଷତାକ୍ତ ହୋଇଥିବା ବେଳେ ଘଟଣାସ୍ଥଳରୁ ତାଙ୍କ ବାଇକ ଓ ମୋବାଇଲ ନ ଥିଲା। କେହି ଜଣେ ଦୁର୍ବୃତ୍ତ କୈବଲ୍ୟର ବାଇକ ଓ ମୋବାଇଲକୁ ଲୁଟ ପୂର୍ବକ ହତ୍ୟା କରି ଫେରାର ହୋଇଯାଇଥିବା ଜାଣିବାକୁ ମିଳିଛି। ହେଲେ ଅନ୍ୟପଟେ ଏହା ଏକ ସୁଚିନ୍ତିତ ଓ ଯୋଜନାବଦ୍ଧ ଲୁଟ୍ ଏବଂ ହତ୍ୟାକାଣ୍ଡ ବୋଲି ପରିବାରବର୍ଗଙ୍କ ପକ୍ଷରୁ କୁହାଯାଇଛି। ତେବେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିବା ସୂଚନା ମିଲିଛି।ମୃତକଙ୍କ ଏକ ୧୩ ବର୍ଷର ପୁଅ ଅଛି।
