
ପୋଲିସ ସବ୍-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ଘୋଟାଳା ମାମଲାରେ ଅବଶେଷରେ ସିବିଆଇ ମାମଲା ରୁଜୁ କରିଛି। ସମ୍ପ୍ରତି ବିଜ୍ଞପ୍ତି ପ୍ରକାଶ ପରେ ଏହି ମାମଲା ରୁଜୁ ହୋଇଛି। ସିବିଆଇ ଭୁବନେଶ୍ୱର ଶାଖା ପକ୍ଷରୁ ଏହି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।
ତଦନ୍ତ ପାଇଁ ଡିଏସପିଙ୍କ ନେତୃତ୍ୱରେ ଏକ ବିଶେଷ ଟିମ ଗଠନ କରାଯାଇଛି। ସିବିଆଇ, କ୍ରାଇମ ବ୍ରାଞ୍ଚ ଆଇଓଙ୍କଠାରୁ ସମସ୍ତ ତଥ୍ୟ ଗ୍ରହଣ କରିଛି ଏବଂ ଏହି ଘଟଣାର ସମଗ୍ର ତଦନ୍ତ ଆରମ୍ଭ କରିଛି।
ଗତକାଲି ଶଙ୍କର ପୃଷ୍ଟିଙ୍କ ଏକାନ୍ତ ଘନିଷ୍ଠ ଓ କେୟାରଟେକର ସାଗର ଗୌଡ଼କୁ ସିବିଆଇ ଗିରଫ କରିଥିଲା। ସାଗର ଦୀଘା ମୋଡ୍ୟୁଲର ଦାୟିତ୍ୱ ନେଇଥିଲେ ଏବଂ ଆର୍ଥିକ ନେଣଦେଣ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଥିବା ସୂଚନା ମିଳିଛି।
ବର୍ତ୍ତମାନ ସୁଦ୍ଧା ମୋଟ ୧୨୬ ଜଣଙ୍କୁ ଏହି ଚାକିରୀ ଘୋଟାଳା ମାମଲାରେ ଗିରଫ କରାଯାଇଛି। ସିବିଆଇ ତଦନ୍ତ ବେଳେ ଆହୁରି ବଡ଼ ମାଛମାନଙ୍କ ନାମ ଆସିପାରେ ବୋଲି ଅନୁମାନ କରାଯାଉଛି।
