
ପୁଣିଥରେ ଏସିଆ କପ୍ରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ। ପାକିସ୍ତାନକୁ ଫାଇନାଲ ମ୍ୟାଚରେ ୬ ଓ୍ୱିକେଟରେ ପରାସ୍ତ କରି, ନବମଥର ପାଇଁ ଏହି ଖିତାବ ହାସଲ କଲା ଭାରତ। ତିଲକ ବର୍ମାଙ୍କ ଧର୍ଯ୍ୟପୂର୍ଣ୍ଣ ଅର୍ଧଶତକ ଓ ଶିବମ ଦୁବେଙ୍କ ବିସ୍ଫୋରକ ପାଳିରେ ଏହି ବିଜୟ ସୁନିଶ୍ଚିତ ହୋଇପାରିଛି।
ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ। ପାକିସ୍ତାନ ପକ୍ଷରୁ ସାହିବଜାଦା ଫରହାନ (୫୭) ଓ ଫକର ଜମାନ (୪୬) ଭଲ ଆରମ୍ଭ ଦେଇଥିଲେ। କିନ୍ତୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ସାମ୍ନାରେ ଟିକିପାରିନଥିଲେ। ୧୯.୧ ଓଭରରେ ସମଗ୍ର ଦଳ ୧୪୬ ରନ୍ରେ ସୀମିତ ହୋଇଯାଇଥିଲା। ଭାରତ ପକ୍ଷରୁ କୁଲଦୀପ ଯାଦବ ୪ଟି, ଯଶପ୍ରିତ ବୁମରାହ, ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲ ୨ଟିକରି ୱିକେଟ ନେଇଥିଲେ।
୧୪୭ ରନର ଲକ୍ଷ୍ୟକୁ ଅନୁସରଣ କରିବାକୁ ଓହ୍ଲାଇଥିବା ଭାରତୀୟ ଦଳ ଆରମ୍ଭରୁ କିଛି ଝଟକା ସହିଥିଲା। ଅଭିଷେକ ଶର୍ମା, ଶୁବମନ ଗିଲ୍ ଓ ସୂର୍ଯ୍ୟ କୁମାର ଯାଦବ ବିଫଳ ହୋଇଥିଲେ। ତଥାପି ତିଲକ ବର୍ମା ଶାନ୍ତିର ସହିତ ପାଳି ସମ୍ଭାଳି, ସଞ୍ଜୁ ସାମସନ ଓ ଶିବମ ଦୁବେଙ୍କ ସହଯୋଗରେ ଭାରତ ୬ ଓ୍ୱିକେଟରେ ବିଜୟୀ ହୋଇଛି ।
