
ପଦ୍ମପୁର: ଚାଷୀଙ୍କ ସମସ୍ୟାକୁ ନେଇ ଆଜି ପଦ୍ମପୁର ସହର ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇଯାଇଛି। ଧାନ କ୍ରୟରେ ଅବ୍ୟବସ୍ଥା, ଟୋକନ ସମସ୍ୟା ଏବଂ ମଣ୍ଡିରେ ବ୍ୟାପକ ‘କଟନୀ-ଛଟନୀ’କୁ ବିରୋଧ କରି ସ୍ଥାନୀୟ କୃଷକ ସଙ୍ଗଠନ ପକ୍ଷରୁ ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦିଆଯାଇଛି। ଏହି ଆନ୍ଦୋଳନ ଯୋଗୁଁ ସକାଳୁ ସକାଳୁ ସହରର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି।
କୃଷକ ସଙ୍ଗଠନର ଅଭିଯୋଗ ଅନୁଯାୟୀ, ମଣ୍ଡିରେ ଚାଷୀଙ୍କୁ ଶୋଷଣ କରାଯାଉଛି। ପ୍ରତି କ୍ୱିଣ୍ଟାଲ ଧାନରେ ପ୍ରାୟ ୩ ରୁ ୪ କେଜି ପର୍ଯ୍ୟନ୍ତ ଧାନ କଟନୀ-ଛଟନୀ କରାଯାଉଛି, ଯାହା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଉଛି। ଏହା ବ୍ୟତୀତ ଅନେକ ଚାଷୀଙ୍କୁ ଉପଯୁକ୍ତ ସମୟରେ ଟୋକନ ମିଳୁ ନଥିବାରୁ ସେମାନେ ନିଜର କଷ୍ଟଅର୍ଜିତ ଫସଲ ବିକ୍ରି କରିବାରେ ବହୁ ବାଧାବିଘ୍ନର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ପ୍ରଶାସନକୁ ଅବଗତ କରାଯିବା ସତ୍ତ୍ୱେ କୌଣସି ସ୍ଥାୟୀ ସମାଧାନ ନହେବାରୁ ଚାଷୀମାନେ ରାଜଗାସ୍ତକୁ ଓହ୍ଲାଇଛନ୍ତି।
ଆନ୍ଦୋଳନକାରୀମାନେ ପଦ୍ମପୁରର ମୁଖ୍ୟ ରାସ୍ତା ଅବରୋଧ କରିବା ଫଳରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଟ୍ରକ ଓ ଯାତ୍ରୀବାହୀ ବସ୍ ଅଟକି ରହିଛି। ସ୍ଥାନୀୟ ବଜାର ଓ ଦୋକାନ ମଧ୍ୟ ବନ୍ଦ ରହିଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଜରୁରୀକାଳୀନ ସେବାକୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି।
ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଘଟଣାସ୍ଥଳରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ପକ୍ଷରୁ ଛକେ ଛକେ ସତର୍କ ଦୃଷ୍ଟି ରଖାଯାଇଛି। “ଯେପର୍ଯ୍ୟନ୍ତ ଚାଷୀଙ୍କ ସମସ୍ୟାର ସମାଧାନ ହୋଇନାହିଁ, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ” ବୋଲି କୃଷକ ନେତାମାନେ ଚେତାବନୀ ଦେଇଛନ୍ତି।
