
ଟିଭିକେ (ତାମିଲଗା ଭେଟ୍ରି କଝଗମ୍) ମୁଖ୍ୟ ଓ ଅଭିନେତା ବିଜୟ ଥାଲାପତିଙ୍କୁ ମାଡ୍ରାସ ହାଇକୋର୍ଟ ତୀବ୍ର ଭର୍ତ୍ସନା କରିଛନ୍ତି। କରୁର ଜିଲ୍ଲାରେ ଦଳୀୟ ସମାବେଶ ସମୟରେ ଘଟିଥିବା ଦଳାଚକଟା ଘଟଣାରେ ୪୧ ଜଣଙ୍କ ମୃତ୍ୟୁ ପରେ ହାଇକୋର୍ଟ ଏହି ମତ ଦେଇଛନ୍ତି।
ନ୍ୟାୟାଳୟ କହିଛି, ଦଳାଚକଟା ଘଟଣା ପରେ ବିଜୟ ଥାଲାପତି ଘଟଣାସ୍ଥଳରୁ ଫେରାର ହୋଇଯିବା ତାଙ୍କ ଲୋକପ୍ରିୟ ନେତା ଭାବରେ ଦାୟିତ୍ୱହୀନ ମନୋଭାବକୁ ପ୍ରକାଶ କରେ। ସେପଟେ, ଟିଭିକେ ପକ୍ଷରୁ ଘଟଣାକୁ ନେଇ କୌଣସି ଦୁଃଖ ପ୍ରକାଶ କିମ୍ବା ମୃତକ ପରିବାରଙ୍କ ପାଇଁ ସମବେଦନା ଦେବା ହୋଇନଥିଲା ବୋଲି ଆଦାଲତ ଆପତ୍ତି ଜଣାଇଛି।
ମଦୁରାଇ ଖଣ୍ଡପୀଠ ମଧ୍ୟ ପ୍ରଶାସନଙ୍କ ଉପରେ ମଧ୍ୟ ଅଙ୍ଗୁଳି ଉଠାଇ କହିଛନ୍ତି, ବିଜୟ ଥାଲାପତିଙ୍କ ପ୍ରତି ପୋଲିସ ଓ ପ୍ରଶାସନ ଅତ୍ୟଧିକ ନରମ ମନୋଭାବ ଦେଖାଉଛି। ତେଣୁ ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ଆଇପିଏସ ଅଧିକାରୀ ଅସରା ଗର୍ଗଙ୍କ ନେତୃତ୍ୱରେ ଏକ ବିଶେଷ ତଦନ୍ତ ଦଳ (SIT) ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ହାଇକୋର୍ଟ ପ୍ରଶ୍ନ କରିଛନ୍ତି — “ଏଫଆଇଆରରେ ଟିଭିକେ ମୁଖ୍ୟ ବିଜୟ ଥାଲାପତିଙ୍କ ନାମ କାହିଁକି ନାହିଁ?” ଏହାକୁ ନେଇ ପୋଲିସକୁ ସଠିକ୍ ବ୍ୟାଖ୍ୟା ଦେବାକୁ ଆଦେଶ ଦିଆଯାଇଛି।
ସେପଟେ, ଟିଭିକେ ନେତା ବୁସ୍ସି ଆନନ୍ଦ ଓ ସିଟିଆର ନିର୍ମଳ କୁମାରଙ୍କ ଆଗୁଆ ଜାମିନ ଆବେଦନ ଉପରେ ମଦୁରାଇ ଖଣ୍ଡପୀଠ ତାହାର ଆଦେଶ ସଂରକ୍ଷିତ ରଖିଛି।
