
ଢେଙ୍କାନାଳର ପ୍ରସିଦ୍ଧ ବରା ଓ ପାଳ ବାଇଗଣର ଭୌଗୋଳିକ ସଙ୍କେତ(ଜିଆଇ) ମାନ୍ୟତା ପ୍ରାପ୍ତି ନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି । ଏଥିପାଇଁ ଗୁରୁବାର ପୂର୍ବାହ୍ନରେ କୃଷି ବିଜ୍ଞାନକେନ୍ଦ୍ରର ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଇଏଏସ୍ ପ୍ରୋବେସନର ଭଗତ ସାମଲ କଲ୍ୟାଣ ରାଓ ଯୋଗଦେଇ ଢେଙ୍କାନାଳ ଜିଲ୍ଲାର ବରା ଯେତିକି ସ୍ୱତନ୍ତ୍ର ସେତିକି ସ୍ୱାଦିଷ୍ଠ ସେହିପରି ଜିଲ୍ଲାର କମଗରା ଓ ଅନ୍ୟାନ୍ୟ ସ୍ଥାନରେ ହେଉଥିବା ପାଳ ବାଇଗଣ ଦେଖିବାକୁ ସୁନ୍ଦର ଓ ଖାଇବାରେ ସୁଆଦିଆ ବୋଲି ମତବ୍ୟକ୍ତ କରିଥିଲେ । ଏହା ଜିଆଇ ମାନ୍ୟତା ପାଇବାର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଥିଲେ । ଏଥିପାଇଁ ସମସ୍ତ ବ୍ୟବସାୟୀ ବନ୍ଧୁ, ଚାଷୀଭାଇ, ଗଣମାଧ୍ୟମ ପ୍ରତିନିଧି ଓ ବିଭାଗୀୟ ଅଧିକାରୀମାନେ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ ।
କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ବିମଳେନ୍ଦୁ ମହାନ୍ତି ସମସ୍ତ ପ୍ରକାରର ତଥ୍ୟ ସଂଗ୍ରହ କରାଯାଇ ଜିଆଇ ମାନ୍ୟତା ପ୍ରାପ୍ତି ନିମନ୍ତେ ଆସନ୍ତା ଜାନୁଆରୀ ୧୫ ତାରିଖ ମଧ୍ୟରେ ଆବେଦନ କରାଯିବ ବୋଲି କହିଛନ୍ତି । ପାଳ ବାଇଗଣ ସଂପର୍କରେ ସମସ୍ତ ପ୍ରକାରର ତଥ୍ୟ ଏକ କମିଟି ମାଧ୍ୟମରେ ସଂଗ୍ରହ କରାଯିବ । ବରାର ମଧ୍ୟ ପ୍ରାମାଣିକ ତଥ୍ୟ ସଂଗ୍ରହ କରାଯିବ । କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ଏହି ପାଳ ବାଇଗଣ ଓ ବରାର ସ୍ୱତନ୍ତ୍ରତା ପରୀକ୍ଷା କରାଯାଇ ଜିଆଇ ମାନ୍ୟତା ପ୍ରାପ୍ତି ନିମନ୍ତେ ଆବେଦନ କରାଯିବ ବୋଲି ସେ କହିଥିଲେ । ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ମିଶନଶକ୍ତି, ଓରମାସ୍ର ଡେପୁଟୀ ସିଇଓ, ମିଠା ଆସୋସିଏସନର ସଭାପତି ଏବଂ ସଂପାଦକ ପ୍ରମୁଖ ଯୋଗଦେଇଥିଲେ ।
