
ଉତ୍ତରପ୍ରଦେଶ ମିର୍ଜାପୁରରେ ପୁଣି ଏକ ଟ୍ରେନ ଦୁର୍ଘଟଣା । ଚୁନାର ରେଲୱେ ଷ୍ଟେସନରେ ଏକ ଟ୍ରେନ ଧକ୍କା ଦେବାରୁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଦୁର୍ଘଟଣା ବିଷୟରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖବର ନେଇ ମୃତକଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ବ୍ୟକ୍ତ କରିଛନ୍ତି । ଅଧିକାରୀଙ୍କୁ ତତ୍କାଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏସଡିଆରଏଫ ଏବଂ ଏନଡିଆରଏଫ ଟିମ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।
ଖବର ମୁତାବକ, ରେଳ ଟ୍ରାକ ପାର୍ କରୁଥିବା ବେଳେ ହଠାତ୍ କାଲକା-ହାଓ୍ବଡା ଏକ୍ସପ୍ରେସ ଆସି ଏମାନଙ୍କୁ ଧକ୍କା ଦେଇଥିଲା । ଫଳରେ ୬ ଜଣଙ୍କ ଜୀବନ ଚାଲିଯାଇଥିବା ଜଣାପଡିଛି । ସମସ୍ତ ଯାତ୍ରୀ କାର୍ତ୍ତିକ ପୂର୍ଣ୍ଣିମା ସ୍ନାନ ପାଇଁ ଯାଇଥିଲେ । ଟ୍ରେନର ଅନ୍ୟ ପାର୍ଶ୍ବରେ ଓହ୍ଲାଇଥିବାରୁ ଏହି କାରଣରୁ ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ପୋଲିସ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରେଲୱେ ପ୍ରଶାସନ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ରେଲୱେ ପକ୍ଷରୁ କୁହାଯାଇଛି କି, ଆଜି ସକାଳେ ଚୋପନ ଚୁନାର ପାସେଞ୍ଜର ଟ୍ରେନରୁ କିଛି ଲୋକ ମିର୍ଜାପୁର ଚୁନାର ରେଲୱେ ଷ୍ଟେସନରେ ପହଞ୍ଚିଥିଲେ । କିନ୍ତୁ ଟ୍ରେନ ପ୍ଲାଟଫର୍ମରେ ଓହ୍ଲାଇବା ପରିବର୍ତ୍ତେ ଅନ୍ୟପଟେ ଓହ୍ଲାଇ ପଡିଥିଲେ । ଠିକ୍ ଏହି ସମୟରେ କାଲକା-ହାୱଡା ଟ୍ରେନ ଲାଇନରେ ଲୋକଙ୍କୁ ଧକ୍କା ଦେଇଥିଲା । ଫଳରେ ୪ରୁ ୬ ଜଣ ଲୋକଙ୍କ ଜୀବନ ଚାଲିଯାଇଛି ।

