
ଗ୍ୟାସ୍ ବୋଝେଇ ଟ୍ରକ୍ ସହ ଧକ୍କା ହେଲା ସ୍କୁଟି। ଦୁଇ ମହିଳା ଆହତ। କଟକ ସିଆରଆରଆଇ ଥାନା ନୂଆବଜ଼ାର ଛକରେ ସୋମବାର ଭୋର୍ ୫ଟାରେ ଏହି ଦୁର୍ଘଟଣା ଘଟିଛି। ଦୁଇ ଆହତ ମହିଳାଙ୍କୁ ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।
ସୂଚନାନୁସାରେ, କନ୍ଦରପୁର ଅଭିମୁଖେ ଯାଉଥିବା ଏକ ଗ୍ୟାସ୍ ବୋଝେଇ ଟ୍ରକ୍ ନୂଆବଜ଼ାର ଛକ ଅତିକ୍ରମ କରିବାବେଳେ ସମ୍ମୁଖରେ ତିନିଘରିଆ ପଟରୁ ପୋତାପୋଖରୀ ପଟକୁ ଯିବାପାଇଁ ମୁଖ୍ୟ ରାସ୍ତାକୁ ଅତିକ୍ରମ କରୁଥିବା ଏକ ସ୍କୁଟି ସହ ଧକ୍କା ହୋଇଥିଲା। ଫଳରେ ସ୍କୁଟିରେ ଯାଉଥିବା ୨ ମହିଳା ଆହତ ହୋଇଥିଲେ। ଛକରେ ଥିବା ସିଆରଆରଆଇ ପୁଲିସ ଦୁଇ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଡ୍ରାଇଭର୍ ଫେରାର୍ ହୋଇଯାଇଛି।

