
କଟକ-ପାରାଦ୍ୱୀପ ରାସ୍ତାରେ ଦୁର୍ଘଟଣା। ରଘୁନାଥପୁର ବଜାର ମେଡିକାଲ ସମ୍ମୁଖରେ ଟ୍ରକ୍ ବାଇକ୍ ମୁହାଁମୁହିଁ ଧକ୍କା। ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ। ମୃତକମାନେ କନ୍ଦ୍ରାପଟି ଗ୍ରାମର କେ ସଞ୍ଜୟ ସେଠି ମୁନା ଓ ରେଢ଼ୁଆ ଗ୍ରାମର ଶୁଭ୍ରାକାନ୍ତ ସେଠି ବୋଲି ଜଣା ପଡିଛି।
ସୂଚନାନୁଯାୟୀ, ଶୁକ୍ରବାର ରାତି ପ୍ରାୟ ସାଢେ ୧୦ଟା ବେଳେ ରଘୁନାଥପୁର ବଜାର ମେଡିକାଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କନ୍ଦରା ପଟି ଗ୍ରାମର ସଞ୍ଜୟ ସେଠି ଓ ରେଢ଼ୁଆ ଗ୍ରାମର ଶୁଭ୍ରକାନ୍ତ ସେଠି ବାଇକ ଯୋଗେ କଟକରୁ ରଘୁନାଥପୁର ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ରଘୁନାଥପୁର ବଜାରରେ ନୂତନ କରି ନିର୍ମିତ ହୋଇଥିବା ଏକ ହମ୍ପସ୍ ଥିବା ଜାଣି ନପାରି ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ରଘୁନାଥପୁର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସଞ୍ଜୟଙ୍କୁ ମୃତ ଘୋଷଣା କରି ଗୁରୁତର ଥିବା ଶୁଭକାନ୍ତକୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ। କଟକ ମେଡିକାଲରେ ପହଞ୍ଚିଲା ବେଳକୁ ଶୁଭକାନ୍ତଙ୍କର ମୃତ୍ୟୁ ହୋଇସାରିଥିଲା। ଘଟଣାକୁ ନେଇ ଲୋକେ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ରଘୁନାଥପୁର ଥାନା ଅଧିକାରୀ ସୁଶାନ୍ତ କୁମାର ସେଠି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ରସ୍ତା ଅବରୋଧ ହଟାଇଥିଲେ।
ହମ୍ପସ୍ ପାଇଁ ୨ ଯୁବକଙ୍କ ମୃତ୍ୟୁ ଘଟିଥିବାରୁ ପୂର୍ତ୍ତ ବିଭାଗ ଦୁଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେଉ ବୋଲି ଦାବି ହୋଇଛି। ରଘୁନାଥପୁର ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ୨ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ୩୦ ହଜାରେ ଲେଖାଏ ୬୦ ହଜାର ଯୋଗେଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି। ପୁଲିସ ସଞ୍ଜୟଙ୍କ ଶବ ବ୍ୟବଚ୍ଛେଦ କରିବା ପାଇଁ ଜଗତସିଂହପୁର ମେଡିକାଲକୁ ପଠାଇଛି।

