
କୋରାପୁଟ ଜିଲ୍ଲାର କୁନ୍ଦୁରା ଅଞ୍ଚଳରେ ଭାଲୁ ଆତଙ୍କ ଦିନକୁ ଦିନ ବଢ଼ିଚାଲିଛି। ସନ୍ଧ୍ୟା ହେବାମାତ୍ରେ ଲୋକଙ୍କର ଘରୁ ବାହାରିବା ବନ୍ଦ ହୋଇଯାଇଛି। ଗତ ଦୁଇ ସପ୍ତାହ ହେବ ଲଗାତାର ପ୍ରତିଦିନ ୭ରୁ ୮ଟି ଭାଲୁ ଗାଁକୁ ପହଞ୍ଚୁଛନ୍ତି।
ଖାଦ୍ୟ ଅନ୍ବେଷଣରେ ଏହି ଭାଲୁମାନେ ହୋଟେଲ, ଜଳଖିଆ ଦୋକାନ, ଫଳ ଦୋକାନ ଭଳି ଅଞ୍ଚଳରେ ଘୁରୁଛନ୍ତି। ଖାଦ୍ୟ ଖାଇ ସରିବା ପରେ ପୁଣି ଜଙ୍ଗଲ ଅଞ୍ଚଳକୁ ପଳାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଅସୁବିଧା ପ୍ରକାଶ ପାଇଛି।
ଭାଲୁ ଆତଙ୍କରେ ବନବିଭାଗ ମଧ୍ୟ ନାକେଦମ୍ ହେଇପଡ଼ିଛି। ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୧୨ଟା ଯାଏ ପ୍ରାୟ ୧୫ଜଣ ବନବିଭାଗ କର୍ମଚାରୀ ପହରା ଦେଉଛନ୍ତି। ତଥାପି ଭାଲୁ ଆଗମନ ନିୟନ୍ତ୍ରଣ ହୋଇପାରୁନାହିଁ।

