
ନିୟମିତକରଣ ଦାବିକୁ ନେଇ ଓଡିଶା କନିଷ୍ଠ ଶିକ୍ଷକ ସଂଘ ଆନ୍ଦୋଳନକୁ ତୀବ୍ର କରିଛି। ଆଜିଠାରୁ ସଂଘ ଲୋୟର ପିଏମଜିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଆରମ୍ଭ କରିଛି। ରାଜ୍ୟରେ ୧୩ ହଜାରରୁ ଅଧିକ କନିଷ୍ଠ ଶିକ୍ଷକ ପ୍ରାଥମିକ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟ ପଢ଼ାଇଥିବା ସତ୍ୱେ ଏପର୍ଯ୍ୟନ୍ତ ଠିକା କର୍ମଚାରୀ ଭାବେ କାର୍ଯ୍ୟରତ।
ଅଗଷ୍ଟ ୨୨ରେ ରାଜ୍ୟ ସରକାର ନିୟମିତକରଣ ଘୋଷଣା କଲେ ବି ୪ ମାସ ହେଉଯାଏଁ କୌଣସି ନିର୍ଦ୍ଦେଶନାମା ଜାରି ନହେବାରୁ ଶିକ୍ଷକମାନଙ୍କ ଅସନ୍ତୋଷ ବଢିଛି। ୧୩ଦଫା ଦାବିକୁ ନେଇ ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମହାସଂଘ ମଧ୍ୟ ଲୋୟର ପିଏମଜିରେ ଧାରଣା ଦେଇଛି।
ପୂର୍ବାହ୍ଣରେ ଶିକ୍ଷକମାନେ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ବିଧାନସଭା ଦିଗରେ ଶୋଭାଯାତ୍ରା କରିବାକୁ ଚେଷ୍ଟା କରିଥିଲେ। ପୁଲିସ ବ୍ୟାରିକେଡ୍ କରି ସେମାନଙ୍କୁ ଅଟକାଇଥିଲା। ସ୍ଥଳୀୟ ପ୍ରତିବାଦ ସଭାରେ ନେତୃତ୍ୱବୃନ୍ଦ କହିଲେ—୧୦ ବର୍ଷ ହେଲା ଆଦର୍ଶ ବିଦ୍ୟାଳୟ ଆରମ୍ଭ, କିନ୍ତୁ ଶିକ୍ଷକମାନଙ୍କର କ୍ୟାଡର ରୁଲ୍, ସୁରକ୍ଷା ଓ ଭବିଷ୍ୟତ ବିଷୟ ଅନିଶ୍ଚିତ। ମୃତ ୨୪ ଶିକ୍ଷକଙ୍କ ପରିବାର ଏବେ ପର୍ଯ୍ୟନ୍ତ ସହାୟତା ବଞ୍ଚିତ ବୋଲି ମହାସଂଘ ଅଭିଯୋଗ କରିଛି।
