
ରାୟଗଡ଼ାସ୍ଥିତ ଏଚ୍ପି ଗ୍ୟାସ୍ ଫିଲିଂ ଷ୍ଟେଶନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ରାୟଗଡ଼ା ବ୍ଲକ ପିତାମହଲ ଗ୍ରାମ ନୀର ବିଶ୍ୱାଳଙ୍କ ପୁଅ ଆଲୋକ। ସେ ଏଚ୍ପି ଫିଲିଂ ଷ୍ଟେଶନରେ ଶ୍ରମିକ ଭାବେ କାମ କରୁଥିଲେ। କିଛିଦିନ ହେଲା ସେ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହିତ ଅସୁସ୍ଥ ଥିଲେ ବୋଲି ଜଣାପଡ଼ିଛି। ତେବେ ଗତ ୫ ତାରିଖରେ ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ୩ ଦିନ ରହିବା ପରେ ଆଲୋକଙ୍କ ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ ୮ ତାରିଖରେ ବ୍ରହ୍ମପୁର ମେଡିକାଲକୁ ରେଫର୍ କରଯାଇଥିଲା। ଗୁରୁବାର ବ୍ରହ୍ମପୁରରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଆଲୋକଙ୍କୁ କ୍ଷତିପୂରଣ ଦାବିରେ ଏଚ୍ପି ଫିଲିଂ ଷ୍ଟେଶନରେ କାର୍ଯ୍ୟରତ କର୍ମଚାରୀମାନେ ଧାରଣା ଦେଇଛନ୍ତି।
ପ୍ରକାଶ ଥାଉକି, ପୂର୍ବରୁ ଜଣେ ସୁରକ୍ଷା କର୍ମଚାରୀ କମ୍ପାନୀ ଫାଟକ ସମ୍ମୁଖରେ ଡ୍ୟୁଟିରେ ଥିବା ବେଳେ ଦୁର୍ଘଟଣାରେ ତାଙ୍କର ହାତ କଟିଯାଇଥିଲା। ଦୀର୍ଘ ୩ ବର୍ଷ ପରେ ମଧ୍ୟ ତାଙ୍କୁ ଇଏସ୍ଆଇ ପକ୍ଷରୁ କିମ୍ବା ସଂପୃକ୍ତ ଠିକାଦାର ଏବଂ ଏଚ୍ପି କମ୍ପାନୀ ପକ୍ଷରୁ କୌଣସି ସହାୟତା ମିଳି ନ ଥିବା ଜଣାପଡ଼ିଛି।

