
ସମ୍ଭାବ୍ୟ ବାତ୍ୟା ପାଇଁ ସମସ୍ତ ସ୍କୁଲ ଛୁଟି ଘୋଷଣା ହୋଇଛି । ବିଭିନ୍ନ ବିଭାଗ ସତର୍କତା ଅବଲମ୍ବନ କରୁଛନ୍ତି । ହେଲେ ଆର୍ଆଇ, ଅମିନ ପରୀକ୍ଷାକୁ ସ୍ଥଗିତ କିମ୍ବା ବାତିଲ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଉନି । ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ବିଶେଷ କରି ଦକ୍ଷିଣ ଓଡ଼ିଶାକୁ ହାଇଆଲର୍ଟ କରାଯାଇଛି। ଏପରି ସ୍ଥିତିରେ ପରୀକ୍ଷାର୍ଥୀମାନେ କିପରି ପରୀକ୍ଷା ଦେବାକୁ ଯିବେ ବୋଲି ପ୍ରଶ୍ନ କରିଛନ୍ତି ନିଯୁକ୍ତି ଆଶାୟୀ ।
ପରୀକ୍ଷାର୍ଥୀଙ୍କ ଅଭିଯୋଗ, ବର୍ଷା ପାଇଁ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳମାନେ ନିଜ ଆଡ଼ୁ ଛୁଟି ଘୋଷଣା କରିଛନ୍ତି । ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗଜପତି, ରାୟଗଡ଼ା, ମାଲକାନାଗିରି ଜିଲ୍ଲାରେ ଭୂସ୍ଖଳନର ଆଶଙ୍କା ମଧ୍ୟ କରାଯାଇଛି । ପ୍ରବଳ ବର୍ଷା ଥିବା ବେଳେ ଗମନାଗମନର ଅସୁବିଧା ହେବ । ଏଭଳି ସ୍ଥିତିରେ କେଉଁ ଭଳି ଭାବେ ପରୀକ୍ଷା ହେବ । ପରୀକ୍ଷାର୍ଥୀଙ୍କ କହିବା କଥା, ଏନେଇ ଓଏସ୍ଏସ୍ଏସ୍ସି ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କଲେ ସେମାନେ କହୁଛନ୍ତି, କୌଣସି ଚିଠି ହୋଇନି ମାନେ ପରୀକ୍ଷା ହେବ । ଯେଉଁମାନେ ପରୀକ୍ଷା ଦେଇ ନ ପାରିବେ ତେବେ ସେମାନେ ଏକ ଆପ୍ଲିକେସନ ଦେଲେ ସେମାନଙ୍କୁ ପରୀକ୍ଷା ପାଇଁ ଅନ୍ୟ ଏକ ତାରିଖ ଦିଆଯିବ । ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷା ଆସନ୍ତା ମାସ ୧୩ ତାରିଖରେ ସରିବ ।
