
ଦିଲ୍ଲୀରେ ପ୍ରବଳ ବର୍ଷା ସତ୍ୱେ ୟୁଜିସି (UGC) ମୁଖ୍ୟାଳୟ ସମ୍ମୁଖରେ ଛାତ୍ର ଆନ୍ଦୋଳନ ତେଜିବାରେ ଲାଗିଛି। ୟୁଜିସି ଦ୍ୱାରା ଜାନୁଆରୀ ୧୩ରେ ଜାରି ହୋଇଥିବା ‘ଉଚ୍ଚଶିକ୍ଷା ଅନୁଷ୍ଠାନରେ ସମାନତା ପ୍ରୋତ୍ସାହନ ନିୟମାବଳୀ ୨୦୨୬’ କୁ ନେଇ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ବିଭିନ୍ନ ଛାତ୍ର ସଂଗଠନ ଏବଂ ସବର୍ଣ୍ଣ ସମାଜର ଶତାଧିକ ପ୍ରତିନିଧି କଡ଼ା ପୋଲିସ ବନ୍ଦୋବସ୍ତ ମଧ୍ୟରେ ୟୁଜିସି କାର୍ଯ୍ୟାଳୟ ଘେରାଉ କରି ନୂଆ ନିୟମକୁ ‘କଳା ଆଇନ’ ବୋଲି ଅଭିହିତ କରିଛନ୍ତି।
ୟୁଜିସି ଅନୁସାରେ, ୨୦୧୯ରୁ ୨୦୨୩ ମଧ୍ୟରେ ଶିକ୍ଷାନୁଷ୍ଠାନରେ ଜାତିଗତ ଭେଦଭାବ ଅଭିଯୋଗ ୧୧୮% ବୃଦ୍ଧି ପାଇଛି। ଏହାକୁ ରୋକିବା ପାଇଁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ‘ଇକ୍ୱିଟି କମିଟି’, ‘ଇକ୍ୱିଟି ସ୍କ୍ୱାଡ୍’ ଏବଂ ୨୪-ଘଣ୍ଟିଆ ହେଲ୍ପଲାଇନ ସୁବିଧା ରଖିବା ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି ଶିକ୍ଷାନୁଷ୍ଠାନ ଏହାକୁ ପାଳନ ନକରେ, ତେବେ ସେମାନଙ୍କର ଅନୁଦାନ ବନ୍ଦ ହେବା ସହ ମାନ୍ୟତା ରଦ୍ଦ ହେବାର ମଧ୍ୟ ବ୍ୟବସ୍ଥା ରହିଛି।
ଆନ୍ଦୋଳନକାରୀଙ୍କ ମତରେ, ଏହି ନିୟମ ସାଧାରଣ ବର୍ଗର ଛାତ୍ର ଓ ଶିକ୍ଷକଙ୍କୁ ‘ପୂର୍ବ-ନିର୍ଦ୍ଧାରିତ ଦୋଷୀ’ ଭାବେ ଛିଡ଼ା କରୁଛି। ସେମାନଙ୍କର ମୁଖ୍ୟ
- ନୂଆ ନିୟମରେ ଅଭିଯୁକ୍ତଙ୍କୁ ନିଜର ନିର୍ଦ୍ଦୋଷତା ପ୍ରମାଣ କରିବାକୁ ପଡ଼ିବ, ଯାହା ପ୍ରଚଳିତ ନ୍ୟାୟିକ ବ୍ୟବସ୍ଥାର ବିପରୀତ।
- ମିଥ୍ୟା ଅଭିଯୋଗ କଲେ ଅଭିଯୋଗକାରୀଙ୍କ ବିରୋଧରେ କୌଣସି ଦଣ୍ଡର ବ୍ୟବସ୍ଥା ନାହିଁ।
- ‘ଇକ୍ୱିଟି ସ୍କ୍ୱାଡ୍’ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ଉପରେ ସର୍ବଦା ନଜର ରଖିବ, ଯାହା ଏକ ଭୟର ବାତାବରଣ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି।
ସୋସିଆଲ ମିଡିଆରେ #UGC_RollBack ଟ୍ରେଣ୍ଡ ହେଉଥିବା ବେଳେ ଏହି ନିୟମ ବିରୋଧରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (PIL) ମଧ୍ୟ ଦାୟର କରାଯାଇଛି। ଅନ୍ୟପଟେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, କାହାରି ପ୍ରତି ପାତରଅନ୍ତର କରାଯିବ ନାହିଁ ଏବଂ ନିୟମର ଦୁରୁପଯୋଗ ରୋକିବାକୁ ସରକାର ସଚେତନ ଅଛନ୍ତି। କିନ୍ତୁ ବିବାଦ ଥମିବାର ନାଁ ନେଉନାହିଁ, କିଛି ସ୍ଥାନରେ ଯୁବ ନେତାମାନେ ଇସ୍ତଫା ଦେବା ସହ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଚେତାବନୀ ଦେଇଛନ୍ତି।
