
WHOର ବଡ଼ ଚେତାବନୀ । ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି କୋଭିଡ-୧୯ର ଭାରିଆଣ୍ଟ XFG ‘ଷ୍ଟ୍ରେଟସ’ । ୟୁକେ ସମେତ ଆମେରିକାର ୧୯ଟି ରାଜ୍ୟରେ ତୀବ୍ର ଗତିରେ ବ୍ୟାପୁଛି । ଶରୀରର ରୋଗପ୍ରତିରୋଧ ଶକ୍ତିକୁ ପ୍ରଭାବିତ କରେ ଏହି ଭାରିଆଣ୍ଟ । କେତେ ବିପଦଜନକ କୋଭିଡ-୧୯ର XFG ‘ଷ୍ଟ୍ରେଟସ’ ଭାରିଆଣ୍ଟ ? ଆସନ୍ତୁ ଜାଣିବା ।
ଶୀତ ଋତୁ ଆରମ୍ଭ ହେବା ସହ କରୋନା ଭାଇରସର ଏକ ଭାରିଆଣ୍ଟ ଆମେରିକା ଏବଂ ୟୁକେରେ ଲୋକଙ୍କୁ ଦ୍ରୁତ ଗତିରେ ସଂକ୍ରମିତ କରୁଛି । XFG ନାମକ ଏହି ଭାରିଆଣ୍ଟକୁ ‘ଷ୍ଟେଟସ’ ବୋଲି ମଧ୍ୟ କୁହାଯାଏ । XFG ‘ଷ୍ଟେଟସ’ କୋଭିଡ-୧୯ ଭାରିଆଣ୍ଟ ବିଶେଷକରି ଆମେରିକାର ନେଭାଡା, ୟୁଟା, କନେକ୍ଟିକଟ ଏବଂ ଡେଲାୱେରରେ ତୀବ୍ର ଗତିରେ ବ୍ୟାପୁଛି । ସେପ୍ଟେମ୍ବର ୨୦ ତାରିଖରେ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଏହି ୧୯ଟି ରାଜ୍ୟରୁ ବାହାରୁଥିବା ଦୂଷିତ ଜଳରେ ଏହି ଭାଇରସ ମିଳୁଛି । XFG ଏବଂ NB.1.8.1 ଭାରିଆଣ୍ଟ କାରଣରୁ ୟୁକେରେ କୋଭିଡ-୧୯ ମାମଲା ବୃଦ୍ଧି ପାଇଛି ।
ଜୁନ ୨୫ରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଡକ୍ୟୁମେଣ୍ଟ ପ୍ରକାଶ କରିଥିଲା ଯେଉଁଥିରେ XFGକୁ SARS-CoV-2 ଭାରିଆଣ୍ଟ ଭାବରେ ନିରୀକ୍ଷଣ ଅଧୀନରେ ଚିହ୍ନଟ କରାଯାଇଥିଲା । ଏହା ପ୍ରଥମେ ଜାନୁଆରୀ ୨୦୨୫ରେ ଦକ୍ଷିଣ ପୂର୍ବ ଏସିଆରେ ଚିହ୍ନଟ ହୋଇଥିଲା । ପରେ ବିଶ୍ୱବ୍ୟାପୀ ବ୍ୟାପିଥିଲା, ମୁଖ୍ୟତଃ ଆମେରିକାରେ ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥିଲା । ଏହା ଆମ ରୋଗପ୍ରତିରୋଧ ଶକ୍ତିକୁ ପ୍ରଭାବିତ କରେ ଏବଂ ଯେଉଁ କାରଣରୁ ଏହି ଭାରିଆଣ୍ଟକୁ ଅଧିକ ସଂକ୍ରାମକ ବୋଲି ବିବେଚନା କରାଯାଏ । ଗଳା ଯନ୍ତ୍ରଣା, କାଶ, ଜ୍ୱର କିମ୍ବା ଥଣ୍ଡା ହେବା, ନିଶ୍ୱାସ ନେବାରେ କଷ୍ଟ, ଥକ୍କାପଣ, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ବାନ୍ତି ଓ ଡାଇରିଆ ସଂକ୍ରମଣର ଲକ୍ଷଣ ।
