
ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ୮ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଧାନ ମଣ୍ଡି ଅବ୍ୟବସ୍ଥା, ବିଦ୍ୟୁତ ସ୍ମାର୍ଟ ମିଟର ପ୍ରସଙ୍ଗ ଏବଂ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର (PUC) ନାଁରେ ଜୋରିମାନା ଆଦାୟ ବିରୋଧରେ ଏହି ଆନ୍ଦୋଳନ କରାଯାଉଛି । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ଡାକରା ଦିନ ୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ବନ୍ଦକୁ କଂଗ୍ରେସ ଓ ବାମଦଳ ସମେତ ବିଭିନ୍ନ ସାମାଜିକ ସଂଗଠନ ସମର୍ଥନ ଜଣାଇଛନ୍ତି । ରାଜ୍ୟର ବିଭିନ୍ନ ସହର ଯଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ବଲାଙ୍ଗୀରରେ ସକାଳୁ ସକାଳୁ ଗାଡ଼ି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ବଜାରରେ ଦୋକାନ ମଧ୍ୟ ବନ୍ଦ ରହିଛି ।
ରାଜଧାନୀ ଭୁବନେଶ୍ୱରର ଉପକଣ୍ଠ ଉତ୍ତରା ଛକରେ ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି, ଯାହାଫଳରେ ପୁରୀ-ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସେହିପରି ରେଳ ଷ୍ଟେସନରେ ପିକେଟିଂ କରାଯାଇ ଟ୍ରେନ୍ ରୋକ କରାଯିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ବରଗଡ଼ ଭଳି ଜିଲ୍ଲାରେ ମଧ୍ୟ ଆନ୍ଦୋଳନକାରୀମାନେ ମୁଖ୍ୟ ରାସ୍ତା ଅବରୋଧ କରି ଚେୟାର ପକାଇ ବସିଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡ଼ା ଦୁହୁରିଆ ଛକ ବନ୍ଦ ହେବା କାରଣରୁ କଟକ-ଚାନ୍ଦବାଲି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ବଲାଙ୍ଗୀରରେ ମଧ୍ୟ ବନ୍ଦର ବ୍ୟାପକ ପ୍ରଭାବ ପଡ଼ିଛି । ଜିଲ୍ଲା ମିଳିତ କୃଷକ ସଂଘ ପକ୍ଷରୁ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ ରଖାଯାଇଛି । ସହରରେ ଆନ୍ଦୋଳନକାରୀମାନେ ଏକ ମଲ୍ ଭିତରକୁ ଧସେଇ ପଶି ବନ୍ଦ କରିବାକୁ ଚେଷ୍ଟା କରୁଥିବା ଦେଖାଯାଇଛି । କୃଷକମାନଙ୍କର ଧାନର ଉଚିତ୍ ମୂଲ୍ୟ ଏବଂ ସରକାରଙ୍କ ଆଭିମୁଖ୍ୟ ବିରୋଧରେ ଏହି ଲଢ଼େଇ ଜାରି ରହିବ ବୋଲି ସଂଗଠନ ଚେତାବନୀ ଦେଇଛି । ତେବେ ଏହି ବନ୍ଦ ସମୟରେ ଆମ୍ବୁଲାନ୍ସ ଓ ମେଡିକାଲ ଭଳି ଜରୁରୀକାଳୀନ ସେବାକୁ ଛାଡ଼ ଦିଆଯାଇଛି ।
