
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଦେଶର ବର୍ତ୍ତମାନର ଅନ୍ତରୀଣ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଭାରତରେ ଶରଣ ନେଇଥିବା ହାସିନା ଏକ ଅଡିଓ କ୍ଲିପ୍ ଜରିଆରେ ବାଂଲାଦେଶବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସଙ୍କୁ ‘ଫାସିବାଦୀ ହତ୍ୟାକାରୀ’ ବୋଲି ଆଖ୍ୟା ଦେଇଛନ୍ତି। ୟୁନୁସ କ୍ଷମତାରେ ଥିବା ପର୍ଯ୍ୟନ୍ତ ଦେଶରେ କେବେବି ମୁକ୍ତ ଓ ଅବାଧ ନିର୍ବାଚନ ସମ୍ଭବ ନୁହେଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ହାସିନାଙ୍କ ଅନୁଯାୟୀ, ଗତ ୧୭ ମାସ ମଧ୍ୟରେ ବାଂଲାଦେଶରେ ଯେଉଁ ଅରାଜକତା ସୃଷ୍ଟି ହୋଇଛି, ତାହାର ନିରପେକ୍ଷ ତଦନ୍ତ ଜାତିସଂଘ ଦ୍ୱାରା କରାଯିବା ଉଚିତ। ସେ ଦେଶର ସମ୍ବିଧାନର ସୁରକ୍ଷା ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସ୍ୱାର୍ଥ ରକ୍ଷା ପାଇଁ ସମସ୍ତ ବାଂଲାଦେଶୀ ଏକଜୁଟ୍ ହେବାକୁ ଆହ୍ବାନ ଦେଇଛନ୍ତି। ସମ୍ପ୍ରତି ତାଙ୍କ ଦଳ ‘ଆଓ୍ବାମି ଲିଗ୍’କୁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରୁ ବାରଣ କରାଯାଇଥିବା ବେଳେ ଏହା ଗଣତନ୍ତ୍ର ପ୍ରତି ଏକ ଆହ୍ବାନ ବୋଲି ବିବେଚନା କରାଯାଉଛି।
ଆସନ୍ତା ଫେବୃଆରୀ ୧୨ ତାରିଖରେ ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ନୂଆଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଜାରି ହୋଇଥିବା ଏହି ଅଡିଓ ବାର୍ତ୍ତା ବାଂଲାଦେଶର ରାଜନୈତିକ ବାତାବରଣକୁ ସରଗରମ କରିଦେଇଛି। ହାସିନାଙ୍କ ଏହି ପ୍ରତ୍ୟକ୍ଷ ଆକ୍ରମଣ ୟୁନୁସ ସରକାରଙ୍କ ପାଇଁ ଆଗାମୀ ଦିନରେ ଅଡୁଆ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି।
