
ଗଞ୍ଜାମରେ ବାଲି ମାଫିଆଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଞ୍ଝା ମାରିବା ପରେ ଦିନକୁ ଦିନ ନୂଆ କଥା ସମ୍ନାକୁ ଆସୁଛି । ତଦନ୍ତ ସମୟରେ ଇଡି ଜାଣିବାକୁ ପାଇଛି, ଯେଉଁମାନେ ଲଘୁ ଖଣିଜର ଲାଇସେନ୍ସ ପାଉଥିଲେ ସେମାନଙ୍କୁ ଧମକ ଦେଇ ମାଫିଆମାନେ ଲାଇସେନ୍ସ ହାତେଇ ନେଉଥିଲେ। ଆଉ ବେଆଇନ ଭାବେ ବାଲି ଓ ପଥର ଖନନ କରୁଥିଲେ। ମାଫିଆମାନେ କୋଟିପତି ହେଉଥିଲେ ଏବଂ ଲିଜ୍ଧାରୀ ଅଳ୍ପ କିଛି ଟଙ୍କା ନେଇ ଚୁପ୍ ବସୁଥିଲେ ।
ଚଢ଼ଉ ସମୟରେ କେତେକ ବାଲି ଓ ପଥର ଖଣିର ଲାଇସେନ୍ସ ଇଡି ହାତରେ ଲାଗିଥିଲା । ସେମାନଙ୍କୁ ପଚରାଉକରା କରାଯାଇଥିଲା । କେତେକ କହିଥିଲେ, ଆମ ନାଁରେ ଲାଇସେନ୍ସ ନେଇ ସେମାନେ ବାଲିଘାଟ ଚଳାଉଛନ୍ତି । ଆଉ କିଛି ଇଡିକୁ କହିଥିଲେ ଆମେ ବାଲି ଖନନ କରୁଥିଲୁ । ହେଲେ ସେମାନେ ପୁଲିସ୍ ଓ ଜିଲ୍ଲା ପ୍ରଶାସନକୁ ବ୍ୟବହାର କରି ବିଭିନ୍ନ ସମସ୍ୟାରେ ପକାଇଥିଲେ । ଏମିତି ମାଫିଆମାନେ ବିଭିନ୍ନ ପ୍ରକାର ଧମକ ଦେଇଥିଲେ । ଏସବୁ ଧମକକୁ ଡରି ଲାଇସେନ୍ସଧାରୀମାନେ ମାଫିଆକୁ ସବୁ ହସ୍ତାନ୍ତର କରି ଦେଉଥିଲେ । ସବୁଠାରୁ ବଡ଼ କଥା ହେଲା, ଜିଲ୍ଲା ପ୍ରଶାସନ ଓ ବରିଷ୍ଠ ପୁଲିସ୍ ଅଧିକାରୀମାନେ ମାଫିଆମାନଙ୍କୁ ପୂର୍ଣ୍ଣ ସହଯୋଗ କରୁଥିଲେ । ଘଟଣାର ଅଧିକ ତଦନ୍ତ ପାଇଁ କେତେକ ବାଲି ମାଫିଆଙ୍କୁ ପରଚାଉଚରା ପାଇଁ ଇଡି ନୋଟିସ୍ କରିଛି । ଖୁବ୍ଶୀଘ୍ର ସେମାନଙ୍କୁ ଜେରା କରାଯିବ ବୋଲି ଜଣାପଡ଼ିଛି ।
