
ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି-ପରିଛକ ରାସ୍ତାର ଦଲକ ଗ୍ରାମ ନିକଟରେ ସୋମବାର ରାତି ୮ଟାରେ ଗୁଳିମାଡ଼ ହୋଇଛି । ଏଥିରେ ଜାମୁଝରୀ ଗ୍ରାମର ବ୍ୟବସାୟୀ ବାସୁଦେବ ପରିଡ଼ାଙ୍କ ମୃତ୍ୟୁ ଘଟିଛି । ତାଙ୍କର ଛାତି ଓ ମୁଣ୍ଡରେ ଦୁଇ ରାଉଣ୍ଡ ଗୁଳି ବାଜିଛି । ଗୁଳିମାଡ଼ ପଛର କାରଣ ସ୍ପଷ୍ଟ ହୋଇନାହିଁ । ଘଟଣା ପଛରେ ପୂର୍ବ ଶତ୍ରୁତା ନଚେତ ବେଆଇନ ଖଣି ଖାଦନ ଉତ୍ତୋଳନ କାରଣ ଥାଇପାରେ ବୋଲି ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି ।
ସୋମବାର ରାତି ପ୍ରାୟ ୮ଟାରେ ଦଲକ ଗ୍ରାମ ନିକଟ ଏକ ସ୍ଥାନରେ କେହି ଦୁର୍ବୃତ୍ତ ବାସୁଦେବଙ୍କୁ ଦୁଇ ରାଉଣ୍ଡ ଗୁଳି ଚାଳନା କରି ଫେରାର୍ ହୋଇଯାଇଥିଲା । ତାଙ୍କ ଛାତିରେ ଗୋଟିଏ ଏବଂ ମୁଣ୍ଡରେ ଗୁଳି ବାଜିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ରାତି ପ୍ରାୟ ୯ଟାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ । ଖବରପାଇ ବେଗୁନିଆ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ତଦନ୍ତ ସମୟରେ ଘଟଣାସ୍ଥଳରେ ଗୋଟିଏ ଖୋକା ଏବଂ ଏକ ବୁଲେଟ୍ ଗାଡ଼ି ଥୁଆ ହୋଇଥିବା ପୁଲିସ ଦେଖିବାକୁ ପାଇଛି । ତେଣୁ ୨ ଦୁର୍ବୃତ୍ତ ବୁଲେଟ୍ ଆସି ଗୁଳିମାଡ଼ ପରେ ଧରାପଡ଼ିବା ଭୟରେ ବୁଲେଟ୍ ଛାଡ଼ି ଫେରାର ହୋଇଯାଇଥିବା ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି । ଗୁଳିମାଡ଼ ପଛର ରହସ୍ୟ ସ୍ପଷ୍ଟ ହୋଇନଥିବା ବେଗୁନିଆ ଥାନା ଅଧିକାରୀ କହିଛନ୍ତି । ଗୁଳିମାଡ଼ ଘଟଣାର ତଦନ୍ତ ବେଗୁନିଆ ପୁଲିସ ଜାରି ରଖିଛି ।
