
ଆସନ୍ତା ୨୧ ତାରିଖ ବୁଧବାର ମହାପ୍ରଭୁଙ୍କ ପଦ୍ମ ବେଶ । ଏଣୁ ଦୟଣାମାଳି ସେବକ ବସନ୍ତ କୁମାର ରଣା ଓ ସହଯୋଗୀ ମିଶି ଠାକୁରଙ୍କ ବେଶ ପ୍ରସ୍ତୁତ କରୁଛନ୍ତି । ଶ୍ରୀମୁଖ ପଦ୍ମ, କରପଲ୍ଲଭ, ହଂସ, ଗଛ, ଡାଳିଲତା ଆଦି ବେଶ ସାମଗ୍ରୀ ତିଆରି ଚାଲିଛି । ରତ୍ନସିଂହାସନକୁ ପଦ୍ମ ପୁଷ୍କରିଣୀ ଜ୍ଞାନ କରାଯାଇ ସେଠାରେ ପଦ୍ମ ଗଛ ସ୍ଥାନିତ ହେବା ସହ ୪ ହଂସ ଖେଳିବେ । ରତ୍ନସିଂହାସନରେ ପଦ୍ମ ବେଶରେ ଉଭା ହେବେ ଶ୍ରୀବିଗ୍ରହ । ପ୍ରସ୍ଫୁଟିତ ବିଶାଳ ପଦ୍ମର କେଶର ଭାଗରେ କଳା ଶ୍ରୀମୁଖ ଶୋଭା ପାଇବ । ଠାକୁରଙ୍କ ପଦ୍ମ ବେଶ ଦେଖି ଶ୍ରଦ୍ଧାଳୁମାନେ ଧନ୍ୟ ହେବେ ।
ପରମ୍ପରା କ୍ରମେ ଦୋଳମଣ୍ଡପ ସାହିସ୍ଥିତ ବଡ଼ଛତା ମଠରୁ ଏହି ବେଶ ସାମଗ୍ରୀ ଶ୍ରୀମନ୍ଦିରକୁ ଆସିଥାଏ । ବେଶ ପ୍ରସ୍ତୁତକାରୀ ୩ଟି ଶ୍ରୀମୁଖ ପଦ୍ମ, ୮୦ ଗୋଟି ପଦ୍ମଫୁଲ, ୭ଟି ଗଛ ଓ ୪ଗୋଟି ହଂସ ତିଆରି କରୁଛନ୍ତି । ଆଗକୁ ମାଳଚୂଳ, କରପଲ୍ଲବ ଓ ପଦ୍ମକଢ଼ି ନିର୍ମାଣ କରାଯିବ । ସୋଲକୁ କାଗଜ ଭଳି କାଟି ଯୋଡ଼ି ବଡ଼ ଫର୍ଦ୍ଦ କରାଯାଇ ବିଭିନ୍ନ ଆକୃତି ପରେ ଏଥିରେ ଜରି ଜମ୍ବୁରା ଖଞ୍ଜା ଯାଉଛି । କଳାକାରମାନେ ନିଖୁଣ ଚିତ୍ର କରି ଠାକୁରଙ୍କ ସାଜକୁ ସୌନ୍ଦର୍ଯ୍ୟପୂର୍ଣ୍ଣ କରୁଛନ୍ତି । ପ୍ରାକୃତିକ ଉପକରଣ ହିଙ୍ଗୁଳ, ହରତାଳ, ଦୀପକଳା ଓ କଇଁଥ ଅଠା ବ୍ୟବହାର କରାଯାଉଛି । ଏବେ ଠାକୁରଙ୍କ ସେବା ପୂଜା କରିବା ଭାବନାରେ କାରିଗରମାନେ ଶୂଦ୍ଧପୂତ ଭାବେ ଏହାକୁ ତିଆରି କରୁଛନ୍ତି ।
କିମ୍ବଦନ୍ତୀ କୁହେ ମହାପ୍ରଭୁଙ୍କ ପଦ୍ମ ବେଶର ଆରମ୍ଭ ହୋଇଥିଲା ଏହିଭଳି । ମନୋହର ଦାସ ନାମକ ଜଣେ ହିନ୍ଦୀ ଭାଷୀ ସାଧୁ ଚାଲି ଚାଲି ଶହ ଶହ ମାଇଲ୍ ଅତିକ୍ରମ କରି ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ । ବାଟରେ ସାଧୁଙ୍କୁ ଭୀଷଣ ଶୋଷ ହେଲା । କ’ଣ କରିବେ ଭାବି ଶୋଷରେ ବାଟ ଚାଲୁଥାନ୍ତି ମନୋହର । ହଠାତ୍ ଏକ ଜଳାଶୟ ତାଙ୍କ ଦୃଷ୍ଟି ଆକର୍ଷଣ କଲା । ସେଠାରେ ମନଭରି ପାଣି ପିଇଲେ ସାଧୁ । ଜଳାଶୟରେ ସଦ୍ୟ ପ୍ରସ୍ଫୁଟିତ ପଦ୍ମ ଫୁଲ ଦେଖି ଠାକୁରଙ୍କୁ ଲାଗି କରିବାକୁ ମନ କଲେ । ଏଣୁ ପଦ୍ମଫୁଲ ତୋଳି ନିଜ ଗାମୁଛାରେ ସଂଗ୍ରହ କରି ଶ୍ରୀମନ୍ଦିରରେ ପହଞ୍ଚିଲେ ।
ସେତେବେଳକୁ ପଦ୍ମ ଫୁଲ ସବୁ ମଳିନ ପଡ଼ି ଗଲାଣି । ମଇଳା ଗାମୁଛାରେ ମଉଳା ପଦ୍ମ ଫୁଲ ଦେଖି ପଣ୍ଡାମାନେ ତାଙ୍କୁ ଫେରାଇ ଦେଲେ । ସେହି ରାତିରେ ଗଜପତି ମହାରାଜାଙ୍କୁ ସ୍ୱପ୍ନାଦେଶ ହେଲା… ସମ୍ପୃକ୍ତ ଭକ୍ତଙ୍କ ପଦ୍ମରେ ବେଶ ହେବ । ପରେ ମହାପ୍ରଭୁ ମନୋହରଙ୍କ ସେହି ମଉଳା ପଦ୍ମ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ସେବେଠାରୁ ଶ୍ରୀବିଗ୍ରହଙ୍କୁ ଏହି ତିଥିରେ ପଦ୍ମବେଶ କରାଯାଉଛି । ମାଘ ମାସ ଅମାବାସ୍ୟାଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ଶନିବାର କିମ୍ବା ବୁଧବାର ଦିନ ଏହି ବେଶ ଅନୁଷ୍ଠିତ ହୋଇଥାଏ । କୁହାଯାଏ ସପ୍ତଦଶ ଶତାବ୍ଦୀରେ ବଡ଼ଛତା ମଠର ମହନ୍ତ ସନ୍ଥ ରଘୁବର ଦାସ ଏହି ବେଶ ପ୍ରବର୍ତ୍ତନ କରିଥିଲେ । ଏହି ଦିନ ଠାକୁରଙ୍କୁ ଖୀରି ଓ ଅମାଲୁ ଭୋଗ ଲାଗେ ।
